ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନ ଫଳ ଅନ୍ୟ ତାରିଖରେ ବାହାରିଲେ କିଛି ବଡ଼ଧରଣର କ୍ଷତି ହେବନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସାମ୍ପ୍ରତିକ କୋଭିଡ୍‌ ସଙ୍କଟ କଥା ବିଚାରକୁ ନେଇ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ ଗଣନା ତାରିଖ ପରିବର୍ତ୍ତନ କରାଗଲେ କିଛି ବଡ଼ଧରଣର କ୍ଷତି ହୋଇଯିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ କମିସନ୍‌କୁ କହିଛନ୍ତି।

ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ କମିସନ୍‌କୁ ସୁପ୍ରିମ୍‌ କୋର୍ଟ ପଚାରିଛନ୍ତି, ସାମ୍ପ୍ରତିକ ଅବସ୍ଥା କଥା ଚିନ୍ତା କରି, ଆପଣ କ’ଣ ବିଚାର କରୁନାହାନ୍ତି ଯେ, ଭୋଟ୍‌ ଗଣନା ତାରିଖ ବଦଳିବା ଆବଶ୍ୟକ? ଚାରିଆଡ଼େ ସଙ୍କଟ। ଆପଣଙ୍କର କ’ଣ ଡାକ୍ତରୀ ସୁବିଧା ଅଛି? ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ପାରୁଛି?

ପ୍ରଥମେ ଆମକୁ ଭୋଟ୍‌ ଗଣନାର ଯଥାର୍ଥତା ଦର୍ଶାଅ। ଗଣନା ତାରିଖ ୨/୩ ସପ୍ତାହ ଘୁଞ୍ଚା ଯାଇ ପାରିବ। ଭୋଟ୍‌ ଗଣନା ନ ହେଲେ କୌଣସି ସାଙ୍ଘାତିକ ଅସୁବିଧା ହୋଇଯିବ ନାହିଁ।

Image Courtesy of News18Hindi

ଏଭଳି ପରିସ୍ଥିତି ସତ୍ତ୍ବେ ଆମେ ଭୋଟ୍‌ ଗଣନା କରିବାରେ କି ଯଥାର୍ଥତା ରହିଛି ବୋଲି ସୁପ୍ରିମ୍‌ କୋର୍ଟ ପଚାରିବା ସହ କହିଛନ୍ତି, ଯଦି ମାତ୍ର ୮୦୦ କେନ୍ଦ୍ରରେ ୨ ଲକ୍ଷରୁ ଅଧିକ ଆସନ ପାଇଁ ଭୋଟ୍‌ ଗଣନା ହେବ, ଆପଣ ସେଣ୍ଟର୍‌ପିଛା ୮୦୦ ଆସନ ପାଇଁ ଗଣନା କରିବେ। ପ୍ରତି ଆସନରେ ଏକାଧିକ ପ୍ରାର୍ଥୀ ଥିବେ। ତେଣୁ, ପ୍ରତି ଗଣନା କେନ୍ଦ୍ରରେ ୭୫ଜଣ ଲେଖାଏଁ ଲୋକଙ୍କୁ ନେଇ କେମିତି ଗଣନା ଚାଲିବ?

ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଭାଟି କହିଲେ ଯେ, ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗଣନା ରବିବାର ଦିନ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି। ସେଦିନ ରାଜ୍ୟରେ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କରାଯାଇଥିବାରୁ ଜନତାଙ୍କୁ ନିୟନ୍ତ୍ରଣ କରିବା ଅପେକ୍ଷାକୃତ ସହଜ ହେବ। ‘ପେପର ବାଲଟ୍‌’ ହୋଇଥିବାରୁ ସମ୍ପୂର୍ଣ୍ଣ ଗଣନା ପ୍ରକ୍ରିୟା ଶେଷ ହେବାକୁ ୨/୩ ଦିନି ଲାଗିବ। ସୋମବାର ସୁଦ୍ଧା ଆମେ ସବୁ କଥା ସତ୍ୟପାଠରେ ଦାଖଲ କରିବୁ।

ସୁପ୍ରିମ୍‌ କୋର୍ଟ କହିଲେ, ଯଦି ଆସନ୍ତାକାଲି ଭୋଟ୍‌ ଗଣନା କରାଯାଏ, ତେବେ ସତ୍ୟପାଠ ଦାଖଲ କରିବା ପାଇଁ ସମୟ ନେବା କ’ଣ ଆବଶ୍ୟକ? କେବଳ ରବିବାର ପାଇଁ କର୍ଫ୍ୟୁ ଜାରି କରାଯାଇଛି। ସୋମବାର ଓ ମଙ୍ଗଳବାର ଦିନ ଆପଣ କେମିତି ଗଣନା କାର୍ଯ୍ୟ ପରିଚାଳନା କରିବେ?

ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ କହିଲେ, ମଙ୍ଗଳବାର ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ଏବଂ କର୍ତ୍ତୃପକ୍ଷମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ।

ସଦ୍ୟତମ ସୂଚନା ଅନୁସାରେ, ଗଣନା କେନ୍ଦ୍ରରେ କୋଭିଡ୍‌ ନିୟମ ପାଳନ କରିବା ଲାଗି ରାଜ୍ୟ ନିର୍ବାଚନ କମିସନ୍‌ ପ୍ରତିଶ୍ରୁତି ଦେବା ପରେ ସୁପ୍ରିମ୍‌ କୋର୍ଟ ସେମାନଙ୍କୁ ଆସନ୍ତାକାଲି ଭୋଟ୍‌ ଗଣନା ପାଇଁ ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର