କାଉଡିଆଙ୍କ ଉପରେ ପାହାଡରୁ ଖସିଲା ପଥର, ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଗଡ଼ଓ୍ଵାଲର ୯୪ନମ୍ବର ଜାତୀୟ ରାଜପଥର ଋଷିକେଶ-ଗଙ୍ଗୋତ୍ରୀ ରାସ୍ତା ପାର୍ଶ୍ୱରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପାହାଡ ଉପରୁ ହଠାତ ପଥର ଖସିବା ହେତୁ ୩ଜଣ କାଉଡିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଗୁରୁତର କାଉଡିଆଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ନରେନ୍ଦ୍ର ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଦେଶରେ କାଉଡିଆଙ୍କ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି। ତେବେ ଭଗବାନ ଶିବଙ୍କ ନିକଟରେ ମାନସିକ ରଖି ୯ଜଣ କାଉଡିଆ ମ୍ୟାକ୍ସ ଗାଡ଼ିରେ ଗଙ୍ଗୋତ୍ରୀ ଧାମରୁ ହରିୟାଣା ଯାଉଥିଲେ। ଗଙ୍ଗୋତ୍ରୀରୁ ଗଙ୍ଗାଜଳ ନେଇ ଯାଉଥିବା ସମୟରେ ପାହାଡରୁ ପଥର ଖସି ସେମାନଙ୍କ ଗାଡ଼ି ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ହୋଇଥିଲେ।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଆଲ ବେଦର ରାସ୍ତାରେ କଟିଂ କାମ ଚାଲୁଥିବା ହେତୁ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର