ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ, ୨ ଡିଗ୍ରି ସେଲସିଅସ୍‌ରେ ଥରୁଛି ହିସାର, ଚଣ୍ଡୀଗଡ଼

ନୂଆଦିଲ୍ଲୀ: ଏବେ ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ହରିଆଣା ଓ ପଞ୍ଜାବରେ ଲୋକେ ହାଡ଼ଭଙ୍ଗା ଜାଡ଼ରେ ଅତିଷ୍ଠ ହୋଇପଡ଼ିଥିବା ବେଳେ ହରିଆଣାର ହିସାରରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ତଳକୁ ଖସିଆସିଛି। ସେହିପରି ନର୍ଣ୍ଣାଉଲ୍‌ରେ ତାପମାତ୍ରା ୩ ଡିଗ୍ରି ରହିଥିବା ବେଳେ କର୍ଣ୍ଣଲ, ସିର୍ସା, ରୋହତକ, ଆମ୍ବାଲା, ଚଣ୍ଡୀଗଡ଼ ଓ ଭିଵାନି ଆଦି ସ୍ଥାନରେ ୪ ଡିଗ୍ରି ସେଲସିଅସ୍‌ ଭିତରେ ରହିଛି। ସେହିପରି ପଞ୍ଜାବର ଆଦାମପୁରରେ ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରି ସେଲସିଅସ୍‌ ରେକର୍ଡ କରାଯାଇଛି। ରାଜ୍ୟର ପଠାନକୋଟ, ବରଵାରା ଓ ଭତିଣ୍ଡା ଆଦି ସ୍ଥାନରେ ମଧ୍ୟ ପାରଦ ୩ରୁ ୪ ଡିଗ୍ରି ମଧ୍ୟରେ ରହିଛି। ଅପରପକ୍ଷେ, ଅମୃତସର, ଲୁଧିଆନା ଓ ପତିଆଲାରେ ଯଦିଓ ତାପମାତ୍ରା ୪ରୁ ୫ ଡିଗ୍ରି ସେଲସିଅସ ରହିଛି, ତେବେ ଥଣ୍ଡା ପବନ ଦୈନନ୍ଦିନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ପଶ୍ଚିମ ହିମାଳୟରୁ ଏପରି ଥଣ୍ଡା ପବନ ଉତ୍ତର ଭାରତର ଗଙ୍ଗା ଅବବାହିକା ଓ କେନ୍ଦ୍ରାଞ୍ଚଳକୁ ପ୍ରବାହିତ ହେବା ଧାରା ଜାରି ରହିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ରାଜସ୍ଥାନର ଚୁରୁ ଇଲାକାରେ ଗତ ସପ୍ତାହରେ ତାପମାତ୍ରା ଶୂନ ଡିଗ୍ରି ସେଲ୍‌ସିଅସ୍‌ ତଳେ ରହିଥିଲା। ଅମୃତସର ସହରରେ ତାପମାତ୍ରା ୦.୬ ଡିଗ୍ରି ସେଲସିଅସ୍‌କୁ ଖସିଆସିଥିଲା। ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶର ଅନେକ ଜିଲ୍ଲା ସମେତ ଗୁଜରାଟର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିଅସ୍‌ ଭିତରେ ରହିଥିଲା। ଏବେ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଦିନ ବେଳେ ବି ପ୍ରବଳ ଶୀତ ଅନୁଭୂତ ହେଉଛି। ଗତ ୨୧ ତାରିଖ ପରେ ପବନର ବେଗ କମିବା ସହ ଦିଗରେ ମଧ୍ୟ ପରିବର୍ତ୍ତନ ଘଟିବ ବୋଲି ଆଶା କରାଯାଉଥିଲା। ମାତ୍ର ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆହୁରି ୪୮ ଘଣ୍ଟା ଯାଏ ଏପରି ଥଣ୍ଡା ପବନ ଓ ଘନ କୁହୁଡ଼ି ଜାରି ରହିବ। ଫଳରେ ଦେଶର ଉତ୍ତର-ପଶ୍ଚିମ ଭାଗରେ ଦିନର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଭିତରେ ଯଥେଷ୍ଟ ଫରକ ରହିବ। ସେହିପରି ଆଗାମୀ ଦୁଇ ତିନି ଦିନ ପାଇଁ ଉତ୍ତରପ୍ରଦେଶ, ବିହାର, ପୂର୍ବ ମଧ୍ୟପ୍ରଦେଶ, ଛାଡ଼ଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ରରେ ତାପମାତ୍ରା କମିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର