ଚଣ୍ଡୀଗଡ଼: ପଂଜାବରେ ବଡ଼ ବନ୍ୟା ସୃଷ୍ଟି କରିବା ପାଇଁ ପାକିସ୍ତାନ ଲଗାତାର ପ୍ରୟାସ କରିଚାଲିଛି। ପୂର୍ବରୁ ପାକିସ୍ତାନ ସତଲୁଜ୍ର ସମସ୍ତ ୬ଟି ଗେଟ୍ ଖୋଲିଦେଇ ପଂଜାବର ଫିରୋଜ୍ପୁରରେ ବନ୍ୟା ସୃଷ୍ଟି କରିଥିବା ବେଳେ ଏବେ ପୁଣିଥରେ ରାତି ଅଧିଆ ସତଲୁଜ୍କୁ ଆବର୍ଜନା ପାଣି ଛାଡ଼ି ସୀମାବର୍ତ୍ତୀ ଅଂଚଳରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଆନ୍ତର୍ଜାତୀୟ ସୀମା ନିକଟସ୍ଥ ପାକିସ୍ତାନର ବିଭିନ୍ନ ଚମଡ଼ା କାରଖାନା ଏବଂ ଅନ୍ୟ କେତେକ କାରଖାନାର ଆବର୍ଜନା ଜଳକୁ ପାକିସ୍ତାନ ସତଲୁଜ୍ ନଦୀକୁ ଛାଡ଼ିଥିବା ଜଣାପଡ଼ିଛି । ଦୁଇ ଦିନ ହେଲା ଆକ୍ରୋଶମୂଳକ ଭାବେ ପାଣି ଛଡ଼ାଯିବାରୁ ସତଲୁଜ୍ରେ ଜଳ ସ୍ତର ବୃଦ୍ଧି ପାଇବା ସହ ଫିରୋଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଭୟଙ୍କର ରୂପ ନେଇଛି। ଜିଲ୍ଲାର ତେନ୍ଦିୱାଲା ଗ୍ରାମ ନିକଟସ୍ଥ ଏକ ନଦୀବନ୍ଧ ମଧ୍ୟ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ଫିରୋଜପୁର ଡେପୁଟି କମିସନର ଚାନ୍ଦେର ଗୈନ୍ଦଙ୍କ କହିବା ଅନୁଯାୟୀ ଏହି ଚମଡ଼ା କାରଖାନା ଗୁଡ଼ିକ ପାକିସ୍ତାନର ଗନ୍ଧା ସିଂହ ୱାଲା ଗ୍ରାମରେ ଅବସ୍ଥିତ। ପାକିସ୍ତାନ ଏହି କାରଖାନାଗୁଡ଼ିକରୁ ଆବର୍ଜନା ଜଳ ଛାଡ଼ି ସତଲୁଜ୍ ନଦୀକୁ ପ୍ରଦୂଷିତ କରିଦେଇଛି ଏବଂ ପଂଜାବର ତଳିଆ ଅଞ୍ଚଳରେ ବଡ଼ ବନ୍ୟା ସୃଷ୍ଟି କରିବାକୁ ଚାହୁଛି। ତେନ୍ଦିୱାଲା ନିକଟସ୍ଥ ନଦୀବନ୍ଧ ଦୁର୍ବଳ ହୋଇ ଯାଉଥିବାରୁ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗତକାଲି ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ନଦୀବନ୍ଧ ସୁଦୃଢ଼ କରିବା ଦିଗରେ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ସେନା ସହ ମିଶି ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛନ୍ତି।
ସତଲୁଜ୍ ନଦୀରେ ଜଳସ୍ତର ବଢ଼ୁଥିବା ଏବଂ ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ପାଣି ଘେରକୁ ଆସିଯିବାରୁ ପଂଜାବ ରାଜ୍ୟ ପ୍ରଶାସନ ସହ ସେନା ଆଗୁଆ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ସତଲୁଜ୍ ନଦୀରେ ପାକିସ୍ତାନ ଆବର୍ଜନା ଜଳ ଛାଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ଏହା ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିବା ଆଶଙ୍କା କରାଯାଉଛି । ୧୫ଟି ବନ୍ୟା ପ୍ରବଣ ଗ୍ରାମରେ ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରାୟ ୩,୩୦୦ ଲୋକଙ୍କୁ ମେଡିକାଲ ସହାୟତା ଦିଆଯାଇଛି। ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ଯେ ଏହି ବନ୍ୟା ଯୋଗୁଁ ପଂଜାବରେ ପ୍ରାୟ ୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ପଂଜାବରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ପଠାଇବାପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଜଳନ୍ଧର, କପୁରତାଲା, ଫିରୋଜପୁର ଆଦି ଅଞ୍ଚଳରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ଏବଂ ଘରଦ୍ବାର ଭାଙ୍ଗିଛି ତାହା ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।