ବର୍ଷା ବିପର୍ଯ୍ୟୟ ୪୪ ମୃତ: ବିହାର ସ୍ଥିତି ସାଂଘାତିକ, ୧୫ ଜିଲ୍ଲାରେ ରେଡ୍‌ ଆଲର୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବର୍ଷା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୪୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଲକ୍ଷ୍ନୌ, ଆମେଥି, ହରଦୋଇ ସମେତ ୯ଟି ଜିଲ୍ଲାରେ ସ୍କୁଲ୍‌ ବନ୍ଦ ଘୋଷଣ‌ା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷ୍ନୌରେ ୭୬.୪ ମିମି ବର୍ଷା ରେକର୍ଡ କରାଯାଇଛି। ପ୍ରତାପଗଡ଼ ଏବଂ ରାଏବରେଲିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆମେଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଚନ୍ଦୌଲି , ବାରଣାସି‌ରେ ୪ ଜଣ ଲେଖାଏଁ ବ୍ୟକ୍ତି, ପ୍ରୟାଗରାଜ, ବାରବାଙ୍କି, ମହୋବାରେ ୩ ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେହିପରି ଆମ୍ବେଦକର ନଗରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାନପୁର, ଗୋରଖପୁର, ସୋନଭଦ୍ରା, ଅଯୋଧ୍ୟା, ଶାହଜନପୁର, ଜଉନପୁର, କୌଶମ୍ବି ଏବଂ ଆଜମଗଡ଼ରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଥିବାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ଥିତି ମୁକାବିଲା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତମାନଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି।

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ଲୋକଙ୍କର ଜୀବନହାନି ହୋଇଥିବା ବେଳେ କିଛି ସ୍ଥାନରେ ପାଣିରେ ବୁଡ଼ି ଯାଇଛି ଏବଂ ଅଧିକାଂଶ ସ୍ଥାନରେ ବଜ୍ରପାତ ଯୋଗୁଁ ଜୀବନହାନି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ରକୁଟ, ପ୍ରୟାଗରାଜ, ସୋନଭଦ୍ରା, ମିର୍ଜାପୁର, ଚନ୍ଦୌଲି, ବାରଣାସୀ, କୌସମ୍ଭୀ, ପ୍ରତାପଗଡ଼, ସୁଲତାନୁପର , ଆଜମଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେପଟେ ବିହାରରେ ମଧ୍ୟ ପ୍ରବଳ ବର୍ଷା ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି। ବିହାରର ୧୫ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଟନା ୯୮ ମିମି ବର୍ଷାଜଳ ଗ୍ରହଣ କରିଛି। ବିହାରରେ ସମସ୍ତ ସ୍କୁଲ୍‌, କଲେଜ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ବିପର୍ଯ୍ୟୟ ପରିଚାଳନା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

ସମ୍ବନ୍ଧିତ ଖବର