ଇସଲାମାବାଦ: ପ୍ରବଳ ବର୍ଷାରେ ବେହାଲ ହୋଇଛି ପାକିସ୍ତାନ । ପାଣିର ପାଟିରେ ଏବେ କଲବଲ ଡାକୁଛି ପାକିସ୍ତାନ । ମୌସୁମୀ ବର୍ଷାରେ ସ୍ଥିତି ସାଙ୍ଘାତିକ ହୋଇଛି ଆଉ ଲଗାଣ ବର୍ଷା ପାକିସ୍ତାନରେ ହାହାକାର ଖେଳିଯାଇଛି । ଗତ ୨୪ ଘଣ୍ଟାରେ ପାକିସ୍ତାନରେ କ୍ଷୟକ୍ଷତି ଅଧିକ ହୋଇଥିବା ବେଳେ ଇତିମଧ୍ଯରେ ୨୬୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧୨୬ ଜଣ ଶିଶୁ ଥିବା ଜଣା ପଡିଛି । ବନ୍ୟା, ବର୍ଷା ଏବଂ ଭୂସ୍ଖଳନରେ ୬୨୮ ଜଣ ଗୁରୁତର ହୋଇଛନ୍ତି । ୧୨୫୦ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୬୬ ପଶୁଙ୍କ ଜୀବନ ଯାଇଛି ।
ଜୁନ ୨୬ ତାରିଖରୁ ଆଜି ଯାଏଁ ମୌସୁମୀରେ ପ୍ରଭାବିତ ହୋଇଛି ପାକିସ୍ତାନ । ପାକିସ୍ତାନରେ ମୌସୁମୀ ଜନିତ ବର୍ଷା ଦେଶକୁ ଦୋହଲାଇ ଦେଇଥିବା ବେଳେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଚିନ୍ତାଜନକ । ପାକିସ୍ତାନରେ ମୁଣ୍ଡ ନେଉଛି ମୌସୁମୀ ବର୍ଷା । ମାସେ ଭିତରେ ୨୬୬ରୁ ଅଧିକ ଜୀବନ ନେଲାଣି ମୌସୁମୀ । ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଗତ ଜୁନ ୨୬ରେ ମୌସୁମୀ ପାକିସ୍ତାନ ଛୁଇଁଥିବା ବେଳେ ସେହି ତାରିଖ ଠାରୁ ବର୍ତ୍ତମାନ ଯାଏଁ ମୌସୁମୀ ଜନିତ ବର୍ଷା ଏବଂ ତତ୍ ଜନିତ ବନ୍ୟା ଏବଂ ଭୂସ୍ଖଳନ ଫଳରେ ଏସବୁ ମୃତ୍ୟୁ ହୋଇଛି ।
ଲଗାଣ ବର୍ଷା ପାକିସ୍ତାନରେ ବନ୍ୟା ସ୍ଥିତି ତ ଆଣିଛି ତାସହ ଅନେକ ଘର ଭୁଶୁଡ଼ି ଥିବା ଜଣାପଡିଛି । ଅଧିକାଂଶ ମୃତ୍ୟୁ ଛାତ ଭୁଶୁଡି ହୋଇଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହଠାତ୍ ବନ୍ୟା ମାଡି ଆସିବା, ପାଣିରେ ଭାସିଯାଇ, ବଜ୍ରାଘାତ, ଭୂସ୍ଖଳନ ପାଇଁ ହିଁ ହୋଇଛି । ତେବେ ପାକିସ୍ତାନର ପଞ୍ଜାବ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । କେବଳ ପଞ୍ଜାବରେ ହିଁ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତକଙ୍କ ମଧ୍ୟରେ ୧୦୧ ଜଣ କେବଳ ଶିଶୁ ରହିଛନ୍ତି ।
ତେବେ ଖାଲି ୨୦୨୫ ନୁହେଁ ଅତୀତର ବନ୍ୟାରେ ବଡ଼ ପ୍ରଭାବିତ ହୋଇଛି ପାକିସ୍ତାନ । ଜୁନରୁ ସେପ୍ଟେମ୍ବର ପାକିସ୍ତାନରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ୨୦୨୨ରେ ଏମିତି ମୌସୁମୀର କରାଳ ରୂପ ପାଇଁ ପ୍ରାୟ ୧୭୦୦ ଲୋକଙ୍କ ପ୍ରାଣହାନୀ ହୋଇଥିଲା । କୋଟି କୋଟି ଟଙ୍କାର କ୍ଷତି ହୋଇଥିଲା ।