ବେଙ୍ଗାଲୁରୁ: ବୁଧବାର ସନ୍ଧ୍ୟା ବେଳେ ମୁଷଳଧାରାରେ ବୃଷ୍ଟିପାତ ହେବାରୁ ବେଲ୍ଲାନ୍ଦୁର୍ ‘ଆଇଟି ଜୋନ୍’ ସମେତ ବେଙ୍ଗାଲୁରୁ ନଗରୀର ପୂର୍ବ, ଦକ୍ଷିଣ ଏବଂ କେନ୍ଦ୍ରାଞ୍ଚଳର ଅନେକ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇପଡ଼ିଛି।
ପାଣିପାଗ ବିଭାଗ କହିବା ଅନୁସାରେ, ନଗରୀର ଉତ୍ତର ପ୍ରାନ୍ତସ୍ଥିତ ରାଜମହଲ ଗୁଟ୍ଟାହାଲ୍ଲୀରେ ୫୯ ମିଲିଲିଟର୍ ବର୍ଷା ରେକର୍ଡ କରାଯାଇଛି।
ଆଗାମୀ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିବ ବୋଲି ମଧ୍ୟ ପାଣିପାଗ ବିଭାଗ ‘ୟେଲୋ ଆଲର୍ଟ’ ଜାରି କରିଛି।
ବୁଧବାର ସନ୍ଧ୍ୟା ୭.୩୦ରେ ବର୍ଷା ଆରମ୍ଭ ହେବା ପରେ ତଳିଆ ଅଞ୍ଚଳର ବାଟଘାଟରେ ପାଣି ଜମିବା ସହ ଖୋଲା ରଖାଯାଇଥିବା ‘ମ୍ୟାନ୍ହୋଲ୍’ ଉଛୁଳି ବାହାରକୁ ପାଣି ସୁଅ ଛୁଟିଥିଲା। ଫ୍ଲାଟ୍ର ବେସ୍ମେଣ୍ଟ୍ରେ ଥିବା ପାର୍କିଙ୍ଗ୍ରେ ପାଣି ପଶିବାରୁ ଅନେକ ଯାନବାହନ ନଷ୍ଟ ହୋଇଯାଇଛି। ଅଫିସ୍ରୁ ଘରକୁ ଫେରୁଥିବା କର୍ମଚାରୀମାନେ ମେଟ୍ରୋ ଷ୍ଟେସନ୍ରେ ଆଶ୍ରୟ ନେଇଥିଲେ।
ପ୍ରବଳ ବର୍ଷା ଯୋଗୁଁ ମାଜେଷ୍ଟିକ୍ ନିକଟରେ ପାଚେରି ଧସିପଡ଼ିବାରୁ ରାସ୍ତାରେ ରଖାଯାଇଥିବା କେତେଗୁଡ଼ିଏ ଚାରିଚକିଆ ଯାନ କ୍ଷତିଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ, ଗତମାସରେ କ୍ରମାଗତ ୩ ଦିନ ଧରି ଅତି ପ୍ରବଳ ବର୍ଷା ହେବାରୁ ବେଙ୍ଗାଲୁରୁ ନଗରୀରେ ଅଭୂତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ‘ଆଇଟି’ କମ୍ପାନି ଓ ସ୍ବଦେଶୀ ଷ୍ଟାର୍ଟ ଅପ୍ ଦିନ ଦିନ ଧରି ପାଣିରେ ବୁଡ଼ି ରହିଥିଲା। ପୋସ୍ ହାଉସିଙ୍ଗ୍ କଲୋନିଗୁଡ଼ିକରେ ଥିବା ବାସିନ୍ଦାଙ୍କୁ ଉଦ୍ଧାର କରିବା ଲାଗି ଟ୍ରାକ୍ଟର୍ ବ୍ୟବସ୍ଥା କରାଯାଇଥିଲା।