କାରୋଲିନାରେ ଫ୍ଲୋରେନ୍ସର ଧ୍ୱଂସଲୀଳା

କାରୋଲିନା: ଆମେରିକାର ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନା ଏବଂ ଭର୍ଜିନିଆରେ ସାମୁଦ୍ରିକ ଝଡ଼ ‘ଫ୍ଲୋରେନ୍ସ’ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ଘଟିଛି। ଏହି ଝଡ଼ ପ୍ରଭାବରେ ଉତ୍ତର କାରୋଲିନା ଓ ଭର୍ଜିନିଆରେ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଯାଇଥିବା ବେଳେ ତଟବର୍ତ୍ତୀ ଅଂଚଳରେ ପ୍ରଳୟ ଆସିଛି। ଏହି ସାମୁଦ୍ରିକ ଝଡ଼ ଯୋଗୁଁ ଘଣ୍ଟା ପ୍ରତି ୧୫୫ କିମି ବେଗରେ ପବନ ବୋହିବା ଆରମ୍ଭ କରିଛି। ଆଜି ଦକ୍ଷିଣ କାରୋଲିନାରେ ହଜାର ହଜାର ଘର ଭାଙ୍ଗି ପଡ଼ିଥିବା ବେଳେ ଏହି ଅଂଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଦଶନ୍ଧୀର ସବୁଠୁ ଭୟଙ୍କର ସାମୁଦ୍ରିକ ଝଡ଼ କୁହାଯାଉଥିବା ଉତ୍ତର କାରୋଲିନା ଓ ଭର୍ଜିନିଆରେ ୧୦ ଲକ୍ଷ ଲୋକ ଘରଦ୍ୱାର ଛାଡ଼ି ଅନ୍ୟତ୍ର ସୁରକ୍ଷିତ ଅଂଚଳକୁ ପଳାଇଛନ୍ତି। ୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଅନ୍ଧାର ଘେରରେ ରହିଛନ୍ତି। ଏହାବ୍ୟତୀତ ଆମେରିକାର ପରମାଣୁ ଶକ୍ତି କେନ୍ଦ୍ର ଫ୍ଲୋରେନ୍ସ ଯୋଗୁଁ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନା ଏବଂ ଭର୍ଜିନିଆରେ ୧୬ଟି ପରମାଣୁ ରିଆକ୍ଟର ରହିଛି। କାରୋଲିନାରେ ବନ୍ୟା ଜଳ ପଶିବା ଆରମ୍ଭ କରିଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ଆଜି ସକାଳ ୭.୧୫ରେ ଉତ୍ତର କାରୋଲିନାର ରାଇଟ୍‌ସଭ୍ୟାଲି ବେଳାଭୂମି ନିକଟରେ ମାଡ଼ ହୋଇଥିଲା। ଝଡ଼ ହେତୁ ଆଜି ପୂର୍ବ ଉପକୂଳରେ ୧୩୦୦ ବିମାନ ବାତିଲ୍‌ ହୋଇଛି।

ସମ୍ବନ୍ଧିତ ଖବର