ଆସାମ ସ୍ଥିତି ଉଦ୍‌ବେଗଜନକ: ୧୫ ଲକ୍ଷ ପ୍ରଭାବିତ, କାଜିରଙ୍ଗା ଜାତୀୟ ଉଦ୍ୟାନ ବୁଡ଼ିଗଲା

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟର ୩୩ଟି ଜିଲ୍ଲା ମଧ୍ୟରୁ ୨୫ଟି ଜିଲ୍ଲା ବନ୍ୟାଜଳରେ ବୁଡ଼ି ରହିଛି। ବନ୍ୟା ପ୍ରଭାବରେ ୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଏବଂ ୧୫ ଲକ୍ଷ ଲୋକରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାରପେଟା ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାର ୫.୨୨ ଲକ୍ଷ ଲୋକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହା ପଛକୁ ଧେମାଜି ଜିଲ୍ଲାର ୧.୩୮ ଲକ୍ଷ ଲୋକ ଏବଂ ମୋରିଗାଓଁ ଜିଲ୍ଲାର ପାଖାପାଖି ୯୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରାୟ ୭୦ ପ୍ରତିଶତ ଅଞ୍ଚଳ ବୁଡ଼ି ରହିଛି। ଏବେ ଗୌହାଟି, ଜୋରହାଟର ନିମାତିଘାଟ, ସୋନିତପୁରର ତେଜପୁର, ଗୋଲପଡ଼ା ଏବଂ ଧୁବ୍ରି ସହର ଆଦି ସ୍ଥାନରେ ବ୍ରହ୍ମପୁତ୍ର ନଦୀର ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଆଲୋଚନା କରି ବନ୍ୟା ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର