ତାମିଲନାଡୁରେ ପ୍ରବଳ ବର୍ଷା, ୪ ମୃତ

ଚେନ୍ନାଇ : ତାମିଲନାଡ଼ୁରେ ପ୍ରବଳ ବର୍ଷା ଯୋଗୁଁ ୪ ଜଣ ଲୋକ ନିହତ ହୋଇଥିବା ବେଳେ ରାଜଧାନୀ ଚେନ୍ନାଇର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବା ସୂଚନା ମିଳିଛି । ଏହା ସହିତ ଚେନ୍ନାଇରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ରାଜ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବା ପରଠାରୁ ପ୍ରବଳ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ଅଟକଳ ଅନୁସାରେ ଗତ କିଛି ଦିନରେ ଏତେ ବର୍ଷା ହୋଇଛି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୪୩ ପ୍ରତିଶତ ବଳକା ବର୍ଷା ହୋଇଛି । ତେବେ ବୁଧବାରଠାରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହି ଲଘୁଚାପ ଏକ ଡିପ୍ରେସନରେ ପରିଣତ ହୋଇ ଆସନ୍ତା ୧୧ ତାରିଖ ସକାଳେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ଡିପ୍ରେସନ ପ୍ରଭାବରେ ଆସନ୍ତା ୧୦-୧୧ ତାରିଖରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚେନ୍ନାଇରେ ଉଭୟ ଦକ୍ଷିଣ-ପଶ୍ଚିମ ଓ ଉତ୍ତର-ପୂର୍ବ ମୌସୁମୀ ବାୟୁ ଯୋଗୁଁ ବର୍ଷା ହୋଇଥାଏ ।

ସମ୍ବନ୍ଧିତ ଖବର