ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ୟାପୀଡ଼ିତଙ୍କ ଦୁର୍ଦ୍ଦଶା ବଢ଼ୁଛି। ଯମୁନା ନଦୀ ଜଳସ୍ତର କମିବାପରେ ଦିଲ୍ଲୀରେ ବନ୍ଦ ଥିବା ପ୍ରମୁଖ ରାସ୍ତାଘାଟ ଧୀରେ ଧୀରେ ଖୋଲିବାପାଇଁ କର୍ତ୍ତୃପକ୍ଷ ଉଦ୍ୟମ କରୁଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ହେବାରୁ ଦିଲ୍ଲୀ ସ୍ଥିତି ପୁଣିଥରେ ଜଟିଳ ହୋଇଯାଇଛି। ଯମୁନା ବ୍ୟାରେଜ୍‌ର ୫ଟି ଗେଟ୍‌ ଜାମ୍‌ ହୋଇଯାଇଛି। ଗେଟ୍‌ ଖୋଲିବାପାଇଁ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଯମୁନା ନଦୀ ଜଳସ୍ତର କମିଥିଲେ ସୁଦ୍ଧା ଏହା ଏବେ ବି ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତଳିଆ ଅଞ୍ଚଳରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ଲୋକମାନେ ବନ୍ୟା‌ଜଳ ଥିବା‌ ଅଞ୍ଚଳରେ ସେଲ୍ଫି ନଉଠାଇବାପାଇଁ ଏବଂ ନଈ ଭିତରକୁ ନଯିବାପାଇଁ କେଜ୍ରିୱାଲ ଅନୁରୋଧ କରିଛନ୍ତି। ୨୦୮.୬୬ ମିଟର ଉଚ୍ଚତାକୁ ଛୁଇଁବା ପରେ ଯମୁନା ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେବେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଅଞ୍ଚଳ ଜଳବନ୍ଦି ହୋଇ ରହିଛି ଏବଂ ଲୋକଙ୍କ ସଙ୍କଟ ବଢ଼ୁଛି। ଏଭଳି ସ୍ଥିତିରେ ଆମ୍ ଆଦମୀ ପାର୍ଟି (ଆପ୍) ଅଭିଯୋଗ କରିଛି ଯେ, ହରିୟାଣାର ହାଥନୀକୁଣ୍ଡ ବ୍ୟାରେଜରୁ ଅଧିକ ଜଳ ଛାଡି ଦିଲ୍ଲୀକୁ ବୁଡ଼ାଇବା ପାଇଁ ଷଡଯନ୍ତ୍ର କରାଯାଇଛି।

Advertisment

ଦିଲ୍ଲୀ ବନ୍ୟାକୁ ‘ଷଡ଼୍‌ଯନ୍ତ୍ର’ କହିଲା ଆପ୍‌
ଦାୟିତ୍ବରୁ ଦୂରେଇ ଯାଉଛି ଆପ୍‌ ସରକାର: ବିଜେପି

ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି ଯେ, ଚଳିତ ବନ୍ୟା ପରିସ୍ଥିତି ହେଉଛି ସହରକୁ ବୁଡ଼ାଇବା ପାଇଁ ବିଜେପିର ଏକ ଷଡ୍‌ଯନ୍ତ୍ର। ଦିଲ୍ଲୀକୁ ଜାଣିଶୁଣି ବୁଡ଼ାଇବା ପାଇଁ ହାଥନୀକୁଣ୍ଡ ବ୍ୟାରେଜରୁ ଅଧିକ ଜଳ କେବଳ ଦିଲ୍ଲୀକୁ ଛଡ଼ାଯାଇଥିଲା। ସୁପ୍ରିମ୍‌କୋର୍ଟ ସମେତ ଦିଲ୍ଲୀର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଜଳମଗ୍ନ କରିବା ପାଇଁ ଷଡ୍‌ଯନ୍ତ୍ର କରାଯାଇଥିଲା। ବ୍ୟାରେଜରୁ ଅଧିକ ଜଳ ହରିୟାଣାର ପଶ୍ଚିମ କେନାଲ ଏବଂ ଉତ୍ତରପ୍ରଦେଶର ପୂର୍ବ କେନାଲକୁ ଛଡ଼ାଯାଇ ନ ଥିଲା। ଦିଲ୍ଲୀ ପୂର୍ତ୍ତ ମନ୍ତ୍ରୀ ଅତିସୀ କହିଛନ୍ତି, ସହରର ବନ୍ୟା ପରିସ୍ଥିତିକୁ ଏଡାଇ ଦିଆଯାଇପାରିଥାନ୍ତା। ହାଥନୀକଣ୍ଡ ବ୍ୟାରେଜରୁ ସମସ୍ତ ଜଳ କେବଳ ଦିଲ୍ଲୀକୁ କାହିଁକି ଛଡ଼ାଯାଇଥିଲା ଏବଂ ଉତ୍ତରପ୍ରଦେଶ ଓ ହରିୟାଣା କେନାଲଗୁଡିକରେ କାହିଁକି ଜଳ ଛଡ଼ାଯାଇ ନ ଥିଲା, ହରିୟାଣାକୁ ତାହାର ଉତ୍ତର ଦେବାକୁ ପଡିବ। ଆପ୍ ନେତା ସୋମନାଥ ଭାରତୀ ମଧ୍ୟ ଦିଲ୍ଲୀ ବନ୍ୟାକୁ ବିଜେପି ଦ୍ୱାରା ସୃଷ୍ଟ ବିପର୍ଯ୍ୟୟ ବୋଲି କହିଛନ୍ତି।

ଆପ୍‌ର ଅଭିଯୋଗ ଉପରେ ଉତ୍ତର ଦେଇ ଦେଇ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଅଭିଯୋଗ କରିଛନ୍ତି ଯେ, ଆପ୍ ସରକାର ନିଜ ଦାୟିତ୍ବରୁ ଦୂରେଇ ଯାଉଛନ୍ତି ଏବଂ କୋଭିଡ୍‌-୧୯ ମହାମାରୀ ପରି ବନ୍ୟା ପରିସ୍ଥିତି ପାଇଁ ବୃଥାରେ ଅନ୍ୟ ରାଜ୍ୟକୁ ଦାୟୀ କରୁଛନ୍ତି। ହରିୟାଣା କୃଷିମନ୍ତ୍ରୀ ଜୟ ପ୍ରକାଶ ଦଲାଲ ସଚଦେବା କହିଛନ୍ତି, ଯେତେବେଳେ ଜଳ ଛଡ଼ା ହୁଏ, ତାହା ସମୁଦ୍ରରେ ପଡ଼ିବା ପୂର୍ବରୁ ପ୍ରଥମେ ଦିଲ୍ଲୀ, ଆଗ୍ରା ଓ ଆହ୍ଲାବାଦ ଦେଇ ଯାଇଥାଏ। ସେ କହିଛନ୍ତି ଯେ, ସହରର ଏକ ବଡ଼ ଅଂଶ ଜଳମଗ୍ନ ହେବାର ମୂଳ କାରଣ ହେଉଛି ନିମ୍ନଭୂମିରେ ବେଆଇନ ଜବରଦଖଲ ଓ ନିର୍ମାଣ। କେଜ୍ରିୱାଲ ସରକାର ଅନ୍ୟକୁ ଦୋଷ ନଦେଇ ପ୍ରତିକାର ଦିଗରେ କାମ କରିବା ଉଚିତ ବୋଲି ସେ କହିଛନ୍ତି।