ନୂଆଦିଲ୍ଲୀ : ଦେଶରେ ୫ଟି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ସୋମବାର ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମଧ୍ୟପ୍ର‌ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଉକ୍ତ ରାଜ୍ୟ ଗୁଡ଼ିକରେ ଆଗାମୀ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ହାଇ ଆଲର୍ଟ ଜାରି ହୋଇଛି।

Advertisment

ଗୁଜରାଟରେ ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗୁଜରାଟରେ ଏଯାବତ୍‌ ବର୍ଷା ଏବଂ ବନ୍ୟା ଯୋଗୁ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହେଲାଣି। ମାତ୍ର ୩ ଘଣ୍ଟାରେ ଅହମଦାବାଦରେ ୧୧୫ ମିମି ବର୍ଷା ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ‌୨ ଦିନ ମଧ୍ୟରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଗଡ଼ଚିରୋଲିରେ ବନ୍ୟା ସ୍ଥିତି ଉପୁଜିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଉକ୍ତ ଅଞ୍ଚଳରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି।

ତେଲେଙ୍ଗାନାରେ ଅଚାନକ ବନ୍ୟା ଆସିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୁଖ୍ୟ ସଚିବ ସୋମେଶ କୁମାରଙ୍କୁ ସମସ୍ତ ବିଭାଗକୁ ସତର୍କ ରହିବା ପାଇଁ କହିଛନ୍ତି। ମଧ୍ୟପ୍ରଦେଶରେ ୫୨ରୁ ୩୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଗତ ୨୪ ଘଣ୍ଟାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ୩୩ ଜିଲ୍ଳା ମଧ୍ୟରେ ଭୋପାଳ, ଇନ୍ଦୋର, ଜବଲପୁର ଏବଂ ନର୍ମଦାପୁରମ ଅଛି। ସେହିପରି କର୍ଣ୍ଣାଟକରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି। ଆସାମ ବନ୍ୟା ସ୍ଥିତିରେ କିଛିଟା ସୁଧାର ଆସିଛି।