ବାତ୍ୟା ‘ହିକ୍କା’ ପ୍ରଭାବରେ ଗୁଜରାଟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ହିକ୍କା’ ବାତ୍ୟାର ରୂପ ନେଇ ଆସନ୍ତା ୨୫ ତାରିଖରେ ଓମାନ୍ ଉପକୂଳ‌ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ଗୁଜରାଟର କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ୨୫ ତାରିଖ ଯାଏ ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ‘ହିକ୍କା’ର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଗୁଜୁରାଟ ସମେତ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ବର୍ଷା ହେବ। ଏହି ସାମୁଦ୍ରିକ ଝଡ଼ ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ଗୁଜରାଟର ବେରାବଲଠାରୁ ୫୬୦ କିମି ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହା ଏବେ ଘଣ୍ଟାପ୍ରତି ୨୧ କିମି ବେଗରେ ଦକ୍ଷିଣ-ପଶ୍ଚିମ ଦିଗରେ ଆଗକୁ ଗତି କରୁଛି। ଏହା ପଶ୍ଚିମମୁଖା ହୋଇ ଓମାନ ଆଡକୁ ଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର