ଥିରୁଅନନ୍ତପୁରମ୍: ଲଗାଣ ଓ ପ୍ରବଳ ବର୍ଷାରେ ଅଧା କେରଳ ଏବେ ଜଳମଗ୍ନ। ଏଥିଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି। କେଉଁଠି ରାସ୍ତା ଧସି ସୁଡ଼ଙ୍ଗ ସୃଷ୍ଟି ହେଉଛି ତ କେଉଁଠି ରାଜପଥ ଗଳିପଡୁଛି। ତଳିଆ ଅଞ୍ଚଳରେ ବନ୍ୟା ହେତୁ ଲୋକେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ପଳାଉଛନ୍ତି। ଫଳରେ ରାଜ୍ୟରେ ଏବେ ୫୦,୦୦୦ରୁ ଅଧିକ ଲୋକ ବାସହରା ହୋଇପଡ଼ିଛନ୍ତି। ସେହିଭଳି ବର୍ଷା ହେତୁ ମୃତ୍ୟୁସଂଖ୍ୟା ୩୭ରେ ପହଞ୍ଚିଛି। ବର୍ଷା ଦାଉରୁ ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟରେ ସେନାବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରାଜ୍ୟରେ ବନ୍ୟା ସ୍ଥିତି ସାଂଘାତିକ ରୂପ ନେଇପାରେ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ୮ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସାମୁଦ୍ରିକ ସୂଚନା ସେବା ପାଇଁ ଥିବା ଭାରତୀୟ ଜାତୀୟ ପାଣିପାଗ କେନ୍ଦ୍ର ମଧ୍ୟ ଅଗଷ୍ଟ ୧୧ରୁ ୧୫ ତାରିଖ ମଧ୍ୟରେ ରାଜ୍ୟରେ ବନ୍ୟା ସତର୍କ ଜାରି କରିଛି। ଆଜି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଏବଂ ବିରୋଧୀ ଦଳ ନେତା ରମେଶ ଚେନ୍ନିଥଲା ବନ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଛନ୍ତି। ବର୍ଷା ହେତୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ସେହିପରି ଭୂସ୍ଖଳନ ହେତୁ ଯେଉଁମାନଙ୍କ ଘରଦ୍ୱାର ଉଜୁଡ଼ି ଯାଇଛି ସେମାନଙ୍କ ନିମନ୍ତେ ଜମି କିଣିବା ପାଇଁ ୬ ଲକ୍ଷ ଏବଂ ଘର ତିଆରି ଲାଗି ୪ ଲକ୍ଷ ସମୁଦାୟ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। କ୍ଷତିଗ୍ରସ୍ତ ରାଜ୍ୟକୁ ଆବଶ୍ୟକ ପାଣ୍ଠି ଯୋଗାଇବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ପୁଡ଼ୁଚେରି ସରକାର ବନ୍ୟା ପ୍ରପୀଡ଼ିତ କେରଳକୁ ୧ କୋଟି ଟଙ୍କାର ରିଲିଫ୍ ସହାୟତା ଘୋଷଣା କରିଛନ୍ତି।
ଅଧା କେରଳ ଜଳମଗ୍ନ, ୫୦ ହଜାରରୁ ଅଧିକ ବାସହରା
/sambad/media/post_attachments/wp-content/uploads/2018/08/6_555_081018040707.jpg)