ମୁମ୍ବାଇ: ଲଗାତର ଦ୍ବିତୀୟ ଦିନ ପାଇଁ ସୋମବାର ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ଗତ ଦୁଇ ଦିନରେ କୋଲାବାରେ ୧୩୪ ମିମି ଏବଂ ସାନ୍ତାକ୍ରୁଜରେ ୧୬୦ ମିମି ବର୍ଷା ରେକର୍ଡ଼ ହୋଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦି ଓ ଟ୍ରାଫିକ ସମସ୍ୟା ଦେଖାଯାଇଛି। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ମୁମ୍ବାଇ, ଥାଣେ, ପାଲଘର ଏବଂ ରାଇଗଡ଼ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ବର୍ଷା ଯୋଗୁ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ଅନେକ ସ୍ଥାନରେ ଗାଡ଼ି ଯାତାୟତ କରିପାରୁନଥିବାରୁ ଅଫିସ ଯିବା ଲୋକମାନଙ୍କୁ ବିଶେଷ ସମସ୍ୟା ଭୋଗିବାକୁ ପଡ଼ିଥିଲା। ଫୁଟେରୁ ଦେଢ଼ଫୁଟ ଉଚ୍ଚରେ ପାଣି ଜମା ହେବା ଯୋଗୁ ଅନ୍ଧେରୀ ସବୱେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରଖାଯାଇଥିବା ମୁମ୍ବାଇ ଟ୍ରାଫିକ ପୁଲିସ ପକ୍ଷରୁ କୁହାଯାଇଛି। ଖାର୍ ସବୱେରେ ଅଧ ଫୁଟ ଏବଂ ପାନବାଇ ସ୍କୁଲ ନର୍ଥ ବାଉଣ୍ଡ ସ୍ଲିପ୍ ରୋଡରେ ଏକ ଫୁଟ ଉଚ୍ଚରେ ପାଣି ଜମା ହୋଇ ରହିଥିବାରୁ ଟ୍ରାଫିକ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ମୁମ୍ବାଇ ଟ୍ରାଫିକ ପୁଲିସ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁମ୍ବାଇରେ ବର୍ଷା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ ବୋଲି ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହାର ଯାତ୍ରୀଙ୍କ ପାଇଁ ଯାତ୍ରା ପରାମର୍ଶ ଜାରି କରାଯାଇଛି।
ସେହିପରି ବର୍ଷା ଯୋଗୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଥାଣେ ଜିଲାରେ ଏକ ମାଲବାହୀ ଟ୍ରେନ୍ ଟ୍ରାକରେ ଅଟକି ରହିଥିବାରୁ କେନ୍ଦ୍ରୀୟ ରେଳପଥରେ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି। ପୁଣେରେ ସୋମବାର ବର୍ଷା ଯୋଗୁଁ ସ୍କୁଲ ବନ୍ଦ ରହିଥିଲା। ପାଣି ଘେରରେ ଥିବା ପୁଣେର ଏକ ଗାଁରୁ ୭୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୁଣେର ବିଭିନ୍ନ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଲାଗି ରହିଛି।