ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ, ଆଇଏମ୍‌ଡିର ରେଡ୍‌ ଆଲର୍ଟ

ମୁମ୍ବାଇ : ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ସହରରେ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଯାଇଛି। ବ୍ୟାପକ ଅଂଚଳରେ ରାସ୍ତାଘାଟ ଜଳମଗ୍ନ ରହିବା ଶହ ଶତାଧିକ ସ୍ଥାନରେ ପାଣି ଜମି ରହିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨୦୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଇଏମ୍‌ଡି ପକ୍ଷରୁ ମୁମ୍ବାଇ ଏବଂ ୪ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ସ୍କୁଲ୍‌, କଲେଜ୍‌ ବନ୍ଦ ଘୋଷଣା କରାଯାଇଛି । ମୁମ୍ବାଇ ବିଶ୍ବବିଦ୍ୟାଳୟରେ ପରୀକ୍ଷା ବାତିଲ କରାଯାଇଥିବା ଜଣାପଡ଼ିଛି। ତେବେ ପ୍ରବଳ ବର୍ଷା ସତ୍ତ୍ବେ ବିମାନ ଚଳାଚଳ ବିଶେଷ ପ୍ରଭାବିତ ହୋଇନାହିଁ। ୧୨ଟି ‌ଟ୍ରେନ୍‌ ବାତିଲ କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ଜାରି ହୋଇଛି। ନାସିକ୍‌ ଏବଂ ପୁନେରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁଁ ପ୍ରମୁଖ ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ତଳିଆ ଅଞ୍ଚଳରୁ କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର