ଉତ୍ତର ଭାରତ‌ରେ ପ୍ରବଳ ଝଡ଼ବର୍ଷା, ଦିଲ୍ଲୀରେ ୨ ମୃତ, ଉତ୍ତରାଖଣ୍ଡରେ ସ୍କୁଲ ଭୁଶୁଡ଼ିଲା

ନୂଆଦିଲ୍ଲୀ: ଉତ୍ତର ଭାରତ‌ରେ ଆଜି ଭୟଙ୍କର ବର୍ଷା ସାଙ୍ଗକୁ ଝଡ଼ତୋଫାନ ଆତଙ୍କ ଖେଳାଇ ଦେଇଛି। ଦିଲ୍ଲୀ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ‌ଝଡ଼ତୋଫାନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖରାପ୍‌ ପାଗ ହେତୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ପଶ୍ଚିମ ଜଳବାୟୁ ବିଭ୍ରାଟ ହେତୁ ବର୍ଷା ସାଙ୍ଗକୁ ଝଡ଼ତୋଫାନ ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବରଫପାତ ହୋଇଛି। ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ‌ରେ ମଧ୍ୟ ପାଗ ଅତ୍ୟନ୍ତ ଖରାପ ରହିଛି। ରାଜଧାନୀ ଦିଲ୍ଲୀରେ କୁଆପଥର ବର୍ଷା ସାଙ୍ଗକୁ ପ୍ରବଳ ଝଡ଼ତୋଫାନ ହୋଇଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ଦିଲ୍ଲୀର ନଜଫଗଡ଼ରେ ପ୍ରବଳ ବର୍ଷା ହେତୁ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉତ୍ତରାଖଣ୍ଡରେ ହିମପାତ ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହି ବର୍ଷା ଓ ହିମପାତ ଫଳରେ ସମଗ୍ର ଉତ୍ତରଭାରତରେ ତାପମାତ୍ରା ହ୍ରାସ ପାଇଛି। ପ୍ରବଳ ବର୍ଷା ଓ ଭୂସ୍ଖଳନ ଫଳରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଗୋପେଶ୍ୱରଠାରେ ଥିବା ଏକ ସରସ୍ୱତୀ ଶିଶୁମନ୍ଦିର ସମ୍ପୂର୍ଣ୍ଣ ଭୂଶୁଡ଼ି ପଡିଛି। ଆହୁରି ହିମପାତ ଓ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ସ୍କୁଲ କଲେଜରେ ଛୁଟି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର