ପୁନେରେ ପ୍ରବଳ ବର୍ଷା, ପାଚେରି ଭୁଶୁଡ଼ି ୧୭ ମୃତ

ବିଲଡର ବିରୋଧରେ ହତ୍ୟା ମାମଲା

ପୁନେ: ବମ୍ବେ ଏବଂ ପୁନେ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଫଳରେ ଶୁକ୍ରବାର ବିଳମ୍ବିତ ରାତିରେ ପୁନେର କୋନ୍ଧୱା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ପାଚେରି ଭୁଶୁଡ଼ି ପଡ଼ିବାରୁ ୧୭ ଜଣ ବ୍ୟକ୍ତିଙ୍କର ଜୀବନ ଅକାଳରେ ଚାଲିଯାଇଛି। ଏହି ଅଘଟଣରେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସାସୁନ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବାବେଳେ ଜଣେ ମହିଳା ଅଛନ୍ତି। ଶ୍ରମିକମାନେ ରହୁଥିବା ଘର ଉପରେ ଆପାର୍ଟମେଣ୍ଟର ପାର୍କିଂ ସ୍ଥଳ ପାଚେରି ଭୁଶୁଡ଼ି ପଡ଼ିବାରୁ ଏଭଳି ଅଘଟଣ ଘଟିଛି। ପାଚେରିଟି ଶୁକ୍ରବାର ରାତି ପ୍ରାୟ ଦେଢ଼ଟା ସମୟରେ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଶ୍ରମିକମାନେ ଶୋଇଥିଲେ। ମୃତକ ଶ୍ରମିକମାନେ ସମସ୍ତେ ପ୍ରାୟ ବିହାରର ବୋଲି ଜଣାପଡ଼ିଛି।

ମହାରାଷ୍ଟ୍ର ସରକାର ୫ ଲକ୍ଷ, ବିହାର ୨ ଲକ୍ଷ ସହାୟତା ଘୋଷଣା କଲେ
ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ
୨୪ ଘଣ୍ଟା ଭିତରେ ତଦନ୍ତ ରିପୋର୍ଟ

ପାଚେରି ଭୁଶୁଡ଼ିବା ଘଟଣାର ତଦନ୍ତ ପାଇଁ ପୁନେ ଜିଲ୍ଲାପାଳ ଏକ ୩ ଜଣିଆ ଟିମ୍ ଗଠନ କରିଛନ୍ତି। ତଦନ୍ତକାରୀ ଦଳକୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ମହାରାଷ୍ଟ୍ର୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଦେବାକୁ ନୀତୀଶ ଘୋଷଣା କରିଛନ୍ତି। ଗୁରୁବାର ଏବଂ ଶୁକ୍ରବାର ପୁନେରେ ପ୍ରବଳ ବର୍ଷା ହୋଇଛି। ୨୪ ଘଣ୍ଟା ମଧ୍ୟରେ ଗତକାଲି ପୁନେରେ ୭୩.୧ ମିଲିମିଟର ବର୍ଷା ହୋଇଛି। ଆପାର୍ଟମେଣ୍ଟର ବାସିନ୍ଦାମାନେ କହିଛନ୍ତି, ପାଚେରି ବାହାର ପଟକୁ ଢଳିଥିବା ବିଷୟରେ ସେମାନେ ବିଲଡରଙ୍କୁ ୫ ମାସ ପୂର୍ବେ ଜଣାଇଥିଲେ। କିନ୍ତୁ ଏହାର କୌଣସି ପ୍ରତିକାରା କରାଯାଇ ନଥିଲା। ପୁନେ ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିବାବେଳେ ୮ ଜଣଙ୍କ ବିରୋଧରେ କୋନ୍ଧୱା ଥାନାରେ ଏଫଆଇଆର ରୁଜୁ କରିଛି। ବିଲଡର ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଏଥିସହିତ ଘଟଣାସ୍ଥଳରେ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ପାଚେରି ନିକଟରେ କାର୍ ପାର୍କ କରାଯାଇଥିଲା। ପାଚେରି ଭୁଶୁଡ଼ି ମାଟି ଦବିବା ଫଳରେ ଶ୍ରମିକମାନେ ରହୁଥିବା ଅସ୍ଥାୟୀ ଘର ଉପରେ କାର ଗୁଡ଼ିକ ଖସି ପଡ଼ିଥିଲା।

ସମ୍ବନ୍ଧିତ ଖବର