ପୁନେରେ ଜଳ ପ୍ରଳୟ, ୨୦ ମୃତ, ୨୮,୦୦୦ ସ୍ଥାନାନ୍ତର

ପୁନେ: ପୁନେରେ ଏବେ ଲଗାଣ ବର୍ଷା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ପୁନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଦ୍ବାରା ୨୮,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୁନେର ଅନେକ ତଳିଆ ଅଞ୍ଚଳରେ ଏବେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି । ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ରହିଥିବା ୫୦୦ ଲୋକଙ୍କୁ ଆଜି ଏନ୍‌ଡିଆର୍‌ଏଫ୍‌ ସୁରକ୍ଷିତ ଉଦ୍ଧାର କରିଛି। ପୁନେ ସହରରେ କାଟରାଜ କୋଣ୍ଡ୍‌ୱାରେ ବର୍ଷା ଜଳରେ ବୁଡ଼ି ଯାଇଥିବା ଏକ କାର୍‌ ମଧ୍ୟରୁ ୨ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖେଦା ଶିବପୁର ଅଞ୍ଚଳରେ ୨ ଜଣ ନିଖୋଜ ଅଛନ୍ତି ଏବଂ କାନ୍ଥ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି। ଅର୍ନେଶ୍ବରରେ କାନ୍ଥ ଭୁଶୁଡ଼ିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ବାରମତିରୁ ପ୍ରାୟ ୧୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ପରିସ୍ଥିତି ଉପରେ ଅହରହ ନଜର ରଖିଛନ୍ତି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି। ପୁନେରେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆରଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି ଏବଂ ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ କାର୍ଯ୍ୟକୁ ବ୍ୟାପକ କରାଯାଇଛି। ଅଧିକାଂଶ ଅଂଚଳ ପାଣି ଘେରରେ ଥିବାରୁ ପୁନେର ସମସ୍ତ ସ୍କୁଲ୍‌ ଓ କଲେଜ୍‌ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ନଜାରେ ଡ୍ୟାମ୍‌ରୁ ଅତ୍ୟଧିକ ଜଳ ନିଷ୍କାସନ ଯୋଗୁଁ ବାରମତିରୁ ୨୮,୫୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏସ୍‌ପି ସନ୍ଦୀପ ପଟେଲଙ୍କ ସହ ଜିଲ୍ଲାପାଳ ସ୍ଥାନାନ୍ତର ପ୍ରକ୍ରିୟା ତଦାରଖ କରୁଛନ୍ତି। ଗୁରୁବାର ସକାଳ ସୁଦ୍ଧା ନଜାରେ ଡ୍ୟାମ୍‌ରେ ୫୯ ମିମି ବର୍ଷା ହୋଇଛି। ତେବେ ଅତ୍ୟଧିକ ବର୍ଷା ଯୋଗୁଁ ଡ୍ୟାମ୍‌ରୁ ପାଣି ନିଷ୍କାସନ ହେବାଦ୍ବାରା ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ନଜାରେ ଡ୍ୟାମ୍‌ରେ ଜଳସ୍ତର ଏବେ ୮୫,୦୦୦ କ୍ୟୁସେକ୍‌ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର