ଚେନ୍ନାଇ : ତାମିଲନାଡୁର ଚେନ୍ନାଇ ଏବଂ ଏହାର ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ମଙ୍ଗଳବାର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲାର ସମସ୍ତ ସ୍କୁଲ ଏବଂ କଲେଜଗୁଡ଼ିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ମଙ୍ଗଳବାର ସକାଳ ୮.୩୦ରୁ ବୁଧବାର ସକାଳ ୫.୩୦ ମଧ୍ୟରେ ଚେନ୍ନାଇରେ ୧୨୬.୧ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ସହର ତଥା ଉପକଣ୍ଠରେ ବର୍ଷାଜଳ ପ୍ରବାହିତ ହେଉଛି। କାନ୍ଥ ଭୁଶୁଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବୁଧବାର ସକାଳେ ବର୍ଷା କମିଯାଇଥିଲେ ହେଁ ଚେନ୍ନାଇ ଏବଂ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ଚେତାବନୀ ଦେଇଛି କେନ୍ଦ୍ର ପାଣିପାଗ ବିଭାଗ (ଆଇଏମ୍‌ଡି)। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Advertisment

ଅକ୍ଟୋବର ୨୯ରେ ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା। ବର୍ଷାକୁ ଦୃଷ୍ଟିରେ ରଖି ଏଠାରେ ଦୁଇଟି ମେଟ୍ରୋ ଚଳାଚଳ ବନ୍ଦ କରାଯାଇଥିଲା ଏବଂ ସହରରେ ଯାନବାହନ ଚଳାଚଳ ମଧ୍ୟ କମାଇ ଦିଆଯାଇଥିଲା। ମୌସୁମୀ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବା ଏବଂ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ଚେନ୍ନାଇରେ ନଭେମ୍ବର ୨ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲିପ୍ରାକ୍‌ ସୂଚନା ଦିଆଯାଇଥିଲା। ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ମଙ୍ଗଳବାର ଗୋଟିଏ ଦିନରେ ୮ ସେମି ବର୍ଷା ଏବଂ ଉପାନ୍ତ ସହର ରେଡ୍ ହିଲ୍ସ ୧୩ ସେମି ରେକର୍ଡ କରିଛି।