ବର୍ଷାରେ ୟୁପି, ବିହାର ବେହାଲ୍‌, ମୃତ୍ୟୁ ସଂଖ୍ୟା ୧୪୮କୁ ବୃଦ୍ଧି

ବିହାରର ୧୪ ଜିଲ୍ଲାରେ ରେଡ୍‌ ଆଲର୍ଟ

ପାଟନା : ଲଗାଣ ବର୍ଷା ‌ଯୋଗୁଁ ବିହାର ଏବଂ ଉତ୍ତରପ୍ରଦେଶ ସ୍ଥିତି ଅଣାୟତ୍ତ। ଏହି ଦୁଇ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଏବଂ ବନ୍ୟା ଯୋଗୁଁ ଲୋକମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଜନିତ କାରଣରୁ ଗତ ୫ ଦିନ ମଧ୍ୟରେ ବିହାରରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୧୧ ଜଣଙ୍କର ପ୍ରାଣହାନୀ ଘଟିଛି। ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବା ପାଣି ନାହିଁ। ସେପ‌ଟେ ବିଦ୍ୟୁତ୍‌ କାଟ ହୋଇଥିବାରୁ ଲୋକଙ୍କୁ ଦିନରେ ଗରମରେ ଏବଂ ରାତିରେ ଅନ୍ଧାରରେ ଜୀବନ ବିତାଇବାକୁ ପଡ଼ୁଛି। ସାରା ଦେଶରେ ଏବେ ବର୍ଷା ଏବଂ ବନ୍ୟା ଯୋଗୁଁ ୧୪୮ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ, ବିହାର ବାଦ୍‌ ଝାଡ଼ଖଣ୍ଡର ଦୁମ୍‌କାରେ ପ୍ରବଳ ବର୍ଷା ଯୋଗୁଁ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଆଜି ୩ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୯ ଜଣଙ୍କ ମୃତ୍ୟୁ ‌ହୋଇଛି।

ବିହାରର ୧୪ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୩୨ ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ପାଟନା ଅବସ୍ଥା ସବୁଠୁ ସାଂଘାତିକ। ସମଗ୍ର ସହର ଏବେ ଜଳମଗ୍ନ। ପାଟନାରୁ ୨୩୫ ଲୋକଙ୍କୁ ଏନ୍‌ଡିଆରଏଫ୍‌ ଦ୍ବାରା ଉଦ୍ଧାର କରାଯାଇଛି। ୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ରେଳ ଲାଇନ୍‌ ବର୍ଷାପାଣିରେ ବୁଡ଼ି ଯାଇଥିବାରୁ ୨୬ରୁ ଅଧିକ ଟ୍ରେନ୍‌ ବାତିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ତଥା ପାଟନା ସାହେବ ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବନ୍ୟା ସ୍ଥିତି ସମୀକ୍ଷା କରୁଛନ୍ତି। କେନ୍ଦ୍ର ସରକାର ଆଜି ବିହାର ପ୍ରଶାସନକୁ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ହେଲିକପ୍ଟର ଦେଇଛନ୍ତି। ଲୋକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥିତି ବିଗିଡ଼ି ଯାଇଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ପାଟନାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ମଧ୍ୟ ସେ ବାୟୁସେନାର ସହଯୋଗ ଲୋଡ଼ିଥିଲେ। ବିହାର ସରକାରଙ୍କ ଦାବି ମୁତାବକ ପାଟନାରେ ଅତିରିକ୍ତ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ କରାଯାଇଛି।

ଉତ୍ତରପ୍ର‌ଦେଶ ବଲିୟା ଜେଲ୍‌ରେ ପଶିଲା ପାଣି, ୯୦୦ କଏଦୀ ଅନ୍ୟତ୍ର ସ୍ଥାନାନ୍ତର
ବଲିୟା: ଉତ୍ତରପ୍ରଦେଶରେ ଗତ ୫ ଦିନର ଲଗାଣ ବର୍ଷାରେ ୯୩ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ବିଭିନ୍ନ ପ୍ରମୁଖ ସହର ଗୁଡ଼ିକ ଏବେ ଜଳମଗ୍ନ। ତେବେ ଉତ୍ତରପ୍ରଦେଶ ବାଲିୟା ଜେଲ୍‌ରେ ଏବେ ବର୍ଷା ଜଳ ପଶିଯାଇଛି। ବର୍ଷା ନକମିବାରୁ ଜେଲ୍ ମଧ୍ୟରେ ଥିବା ସମସ୍ତ ବାରାକ୍‌ରେ ଜଳସ୍ତର ବଢ଼ୁଥିବାରୁ ପ୍ରା‌ୟ ୯୦୦ କଏଦୀଙ୍କୁ ପଡ଼ୋଶୀ ଜିଲ୍ଲାରେ ଥିବା ଅନ୍ୟ ଜେଲ୍‌ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ବଲିୟା କର୍ତ୍ତୃପକ୍ଷ କଏଦୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ବଲିୟା ଜେଲ୍‌ରେ ୩୫୦ କଏଦୀ ରହିବା କ୍ଷମତା ଥିବାବେଳେ ଏଠାରେ ଏବେ ପ୍ରାୟ ୯୦୦ କଏଦୀ ରହିଛନ୍ତି। ଜେଲ୍‌ କୋଠା‌ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଛି।

୩ ଦିନ ପରେ ଉଦ୍ଧାର ହେଲେ ବିହାର ଉପମୁଖ୍ୟମନ୍ତ୍ରୀ
ପାଟନା: ଗତ ୪ ଦିନ ଧରି ବିହାରରେ ଲାଗି ରହିଥିବା ବର୍ଷା ଯୋଗୁଁ ରାଜଧାନୀ ପାଟନା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପାଟନାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଖୋଦ୍‌ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବଡ଼ ସମସ୍ୟାର ସାମ୍ନା କରିଛନ୍ତି। ସୁଶୀଲ ମୋଦୀ ଏବଂ ତାଙ୍କ ପରିବାର ସଦସ୍ୟ ଗତ ୩ ଦିନ ହେବ ରାଜେନ୍ଦ୍ର ନଗର ସ୍ଥିତ ସେମାନଙ୍କ ବାସଭବନରେ ବର୍ଷା ଜଳରେ ଫସି ରହିଥିଲେ। ଆଜି ସକାଳେ ଏନ୍‌ଡିଆରଏଫ୍‌ ଦଳ ତାଙ୍କୁ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। ପାଟନାର ଅଧିକାଂଶ ଅଞ୍ଚଳରେ ଅଣ୍ଟାଏ ଲେଖାଏଁ ପାଣି। ପାଟନା ବା‌ଦ୍‌ ବିହାରର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ପାଟନାରେ ଏବେ ବର୍ଷା କମିଥିଲେ ବି ଅନେକ ଅଞ୍ଚଳ ଜଳମଗ୍ନ ରହିଛି। ରାଜେନ୍ଦ୍ର ନଗର ଏବଂ ପାଟଳିପୁତ୍ର କଲୋନି‌ରେ ବନ୍ୟା ସ୍ଥିତି। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ‌ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା‌ ହେବ।

ସମ୍ବନ୍ଧିତ ଖବର