ଉତ୍ତରକାଶୀ: ଉତ୍ତରାଖଣ୍ଡରେ ଆଜି ପ୍ରକୃତିର ଭୀଷଣ ତାଣ୍ଡବ ଦେଖିବାକୁ ମିଳିଛି। କ୍ଷୀର ଗଙ୍ଗା ନଦୀ ଅବବାହିକା ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ଓ ଭୂସ୍ଖଳନ ହୋଇ ଉତ୍ତରକାଶୀ ଜିଲ୍ଲାର ଧରାଲି ଗ୍ରାମରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି। ମୁହୂର୍ତ୍ତକ ମଧ୍ୟରେ ସମଗ୍ର ଗାଁ ଭାସିଯିବାର ଭୟାନକ ଦୃଶ୍ୟ ହୃଦୟବିଦାରକ ସ୍ଥିତି ସୃଷ୍ଟି କରିଛି। ହର୍ସିଲରେ ଭାରତୀୟ ସେନା ଶିବିରଠାରୁ ପ୍ରାୟ ୪ କିମି ଦୂରରେ ଆଜି ଅପରାହ୍ନ ୧.୪୫ ସମୟରେ ଏହି ପ୍ରଳୟଙ୍କରୀ ବିପର୍ଯ୍ୟୟ ଘଟିଛି। ୫୦ରୁ ଅଧିକ ଲୋକ ପୋତି ହୋଇଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପାଖାପାଖି ୨୦-୨୫ ହୋଟେଲ୍ ଏବଂ ହୋମ୍ଷ୍ଟେ ଏହି ଅଚାନକ ବନ୍ୟାରେ ଭାସି ଯାଇଛି। ପବିତ୍ର ଗଙ୍ଗୋତ୍ରୀ ଧାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବଜାରଠାରୁ ଆରମ୍ଭ କରି ହୋଟେଲ ସବୁକିଛି ବନ୍ୟା ଓ ଭୂସ୍ଖଳନରେ ଛାରଖାର ହୋଇଯାଇଛି। ଏସ୍ଡିଆରଏଫ୍, ଏନ୍ଡିଆର୍ଏଫ୍, ଭାରତୀୟ ସେନା ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ କହିଛନ୍ତି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲା ପ୍ରଶାସନ, ସେନା, ଏନ୍ଡିଆରଏଫ୍ ଏବଂ ଏସଡିଆରଏଫ୍ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରଶାସନ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିଛି ଏବଂ ପ୍ରଭାବିତ ନାଗରିକଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଯାବତ୍ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି।
୪ ମୃତ, ୫୦ରୁ ଅଧିକ ନିଖୋଜ
ମାଟିରେ ମିଶିଲା ୨୫ ହୋଟେଲ୍
ଭାସିଗଲା ସେନା ଶିବିର, ୧୦ ଯବାନ ନିଖୋଜ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇ ଘଟଣା ସଂକ୍ରାନ୍ତରେ ବୁଝିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଶାହଙ୍କ ନିର୍ଦ୍ଦେଶରେ ଉଭୟ ଆଇଟିବିପି ଓ ଏନ୍ଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲ୍ଲା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଲଗାତାର ବର୍ଷା ଓ ଅଚାନକ ବନ୍ୟାରେ ରାସ୍ତା ଧୋଇ ହୋଇ ଯାଇଥିବାରୁ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ହର୍ସିଲ୍ ନିକଟରେ ଅବସ୍ଥିତ ଥିବା ଧରାଲିରେ ବ୍ୟବସାୟ ବଢ଼ୁଥିବାରୁ ଏହି ଅଞ୍ଚଳର ସ୍ବାଭାବିକ ଡ୍ରେନେଜ୍ ପଦ୍ଧତିରେ ବାଧା ଉପୁଜିଥିଲା। ଧରାଲିରେ ବାଦଲଫଟା ବର୍ଷା ହେବାର ୩ ଘଣ୍ଟା ପରେ ସୁଖିରେ ଅନ୍ୟ ଏକ ବାଦଲଫଟା ବର୍ଷା ହୋଇଛି। ଯାହା ଧରାଲିଠାରୁ ମାତ୍ର ୧୬ କିମି ଦୂର। ଉତ୍ତରକାଶୀ ପୁଲିସ ବିପର୍ଯ୍ୟୟର ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ସହ ଲୋକମାନଙ୍କୁ ନଦୀ ନିକଟକୁ ଏବଂ ବିପଦପୂର୍ଣ୍ଣ ସ୍ଥାନକୁ ଯିବାପାଇଁ ବାରଣ କରିଛି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍ରେ ଗତକାଲି ରାତିତମାମ ବର୍ଷା ପାଇଁ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ହରିଦ୍ବାରରେ ଗଙ୍ଗା ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।