ମୁମ୍ବାଇ: ସୋମବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏଥି ସହିତ, ଟ୍ରେନ ଚଳାଚଳ ବିଳମ୍ବ ଯୋଗୁ ବିଧାନସଭା ଅଧିବେଶନରେ ଯୋଗଦେବାକୁ ଆସୁଥିବା ମନ୍ତ୍ରୀ ଏବଂ ଏମଏଲସିମାନଙ୍କୁ ମଧ୍ୟ ସାଧାରଣ ଲୋକଙ୍କ ପରି ପରିବହନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ରେଳଲାଇନ୍‌ରେ ଚାଲିଚାଲି ବିଧାନସଭା ଆସୁଥିବା ମନ୍ତ୍ରୀ-ଏମଏଲସିଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରକୃତରେ, ମହାରାଷ୍ଟ୍ର ରିଲିଫ-ପୁନର୍ବାସ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅନିଲ ପାଟିଲ ଏବଂ ଏନସିପି ଏମଏଲସି ଆମୋଲ ମିତକାରି ହାୱଡା-ମୁମ୍ବାଇ ଟ୍ରେନରୁ ଓହ୍ଲାଇବା ପରେ କିଛି ଦୂର ରେଳଲାଇନ୍‌ରେ ଚାଲିଚାଲି ବୁଲୁଛନ୍ତି। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଏହି ପ୍ରସଙ୍ଗରେ ଏନସିପି ନେତା ମିତକାରି କହିଛନ୍ତି ଟ୍ରେନଟି ପ୍ରାୟ ଦୁଇ ଘଣ୍ଟା ଧରି ଅଟକି ରହିଥିଲା। ଆମେ ଦାଦର ଏବଂ କୁର୍ଲା ଷ୍ଟେସନ ମଧ୍ୟରେ ଥିବା ଟ୍ରାକରେ ଓହ୍ଲାଇଥିଲୁ। ମୁଁ ରେଳ ଟ୍ରାକ୍ ସମେତ ପ୍ରାୟ ୨ ରୁ ଅଢ଼େଇ କିଲୋମିଟର ଚାଲିଲି ଏବଂ ନେହେରୁ ନଗର ପୁଲିସ୍ ଷ୍ଟେସନରେ ପହଞ୍ଚିଲି। ସେ କହିଛନ୍ତି ଯେ କିଛି ବିଧାୟକ ମଧ୍ୟ ଟ୍ରେନରେ ଅଟକି ରହିଛନ୍ତି।

ରେଳଲାଇନରେ ବୁଲି ବିଧାନସଭାରେ ପହଞ୍ଚିବା ପରେ ମନ୍ତ୍ରୀ ଅନିଲ ପାଟିଲ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ। ଏହା ପରେ ସେ ଏବଂ ଏନସିପି ନେତା ମିତକାରି ବିଏମସି ବିପର୍ଯ୍ୟୟ ପରିଚାଳନା ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ପ୍ରବଳ ବର୍ଷାର ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ସୋମବାର ଅପରାହ୍ନରେ ଥାନେ ଜିଲ୍ଲାର ଏକ ପାହାଡ ଉପରେ ଭୂସ୍ଖଳନ ଘଟିଛି, ଯେଉଁ କାରଣରୁ ୪ ଘରେ ରହୁଥିବା ଲୋକଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତର କରାଯାଇଥିଲା। ଏହି ପ୍ରସଙ୍ଗରେ ଥାନେ ମ୍ୟୁନିସିପାଲ କର୍ପୋରେସନର ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ସେଲର ମୁଖ୍ୟ ୟାସିନ ତାଡଭି କହିଛନ୍ତି ଲୋକମାନ୍ୟ ନଗର ପଡା ନମ୍ବର ୪ ରେ ଅପରାହ୍ନ ୧ ଟା ସମୟରେ ହୋଇଥିବା ଭୂସ୍ଖଳନରେ କେହି ମୃତାହତ ହୋଇନାହାନ୍ତି।

କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପାହାଡର ଅବଶିଷ୍ଟ ଅଂଶରେ ଚାରୋଟି ଘର ଏବଂ ଦୁଇଟି ଗଛ ଏବେ ବି ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ଆମେ ଚାରି ଘରୁ ୨୫ ଜଣଙ୍କୁ ବାହାର କରି ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛୁ। ବର୍ତ୍ତମାନ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି ଏବଂ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।