ନୂଆଦିଲ୍ଲୀ: ମୌସୁମୀ ବର୍ଷାରେ ଉବୁଟୁବୁ ହେଉଛି ଅଧା ଭାରତ । କେଉଁଠି ଗୋଟେ ସହର ସମୁଦ୍ରର ଭ୍ରମ ସୃଷ୍ଚି କରୁଛି ତ କେଉଁଠି ଲଗାଣ ବର୍ଷା ପରେ ରାସ୍ତା ପାଲଟୁଛି ନଈ । ପ୍ରବଳ ବର୍ଷା ପରେ ପାହାଡ ଧସୁଛି, ବନ୍ଯା ଆସୁଛି, ନଈ ବଢି ହେଉଛି, ଜୀବନ ଜଳବନ୍ଦୀ ହେଉଛି । ଦେଶର ବିଭିନ୍ନ ସ୍ଥାନରୁ ଆସୁଛି ଜଳ ପ୍ରଳୟର ଚିତ୍ର । ବର୍ଷା ପାଇଁ ଦିଲ୍ଲୀରେ ଖୁସି ଦେଖିବାକୁ ମିଳିଛି । ଦିଲ୍ଲୀ ଏନସିଆରରେ ପ୍ରବଳ ଗରମରୁ ମୁକ୍ତି ଦେଇଛି ବର୍ଷା । ହେଲେ ଓଡିଶା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ପରି ରାଜ୍ୟରେ ଜଳ ତାଣ୍ଡବ ରଚୁଛି । ମୁଷଳଧାରାରେ ବର୍ଷା ପରେ ପାହାଡରୁ ମାଟି ସବୁଠି ହାହାକାର । ନଈ ଉଛୁଳି ଜନବସତି ଆଡକୁ ମାଡି ଆସିଛି ବନ୍ୟା । ଦେଶରେ ଏବେ ବର୍ଷାକୁ ନେଇ ସମସ୍ୟା ଅନେକ ଦେଖା ଦେଉଥିବା ବେଳେ ପୁଣି ଏକ ବଡ ବର୍ଷାର ପୂର୍ବାନୁମାନ କରାଯାଇଛି । ଆଗାମୀ ୭ ଦିନ ଯାଏଁ ଭାରତର ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Advertisment

ତେବେ ଆଗାମୀ ୭ ଦିନ ଯାଏଁ ଉତ୍ତର-ପଶ୍ଚିମ, ମଧ୍ଯ, ପୂର୍ବ ଏବଂ ପୂର୍ବୋତ୍ତର ରାଜ୍ୟ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆଜି ପ୍ରବଳ ବର୍ଷା ନେଇ ଝାଡଖଣ୍ଡକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ୩୦ ତାରିଖ ଅର୍ଥାତ ଆଜି ପାଇଁ ଖାଲି ଝାଡଖଣ୍ଡ ନୁହେଁ ଓଡିଶା, ବିହାର, ମଧ୍ଯପ୍ରଦେଶ, ଛତିଶଗଡକୁ ସତର୍କ ସୂଚନା ଜାରି କରାଯାଇଛି । ୩୦ରୁ ଜୁଲାଇ ୫ ତାରିଖ ଯାଏଁ ପଶ୍ଚିମବଙ୍ଗ ଏବଂ ସିକ୍କିମ ପାଇଁ ଆଲର୍ଟ ଜାରି କରାଯାଇଛି । 

ତେବେ ୭ ଦିନ ଯାଏଁ ଏସବୁ ସ୍ଥାନ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ସହ ପ୍ରବଳ ପବନ ବହିବ । ଘଣ୍ଟା ପ୍ରତି ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଜୁଲାଇ ୫ ତାରିଖ ଯାଏଁ  ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ପଢ୍ଜବ, ହରିଆଣା, ଚଣ୍ଡିଗଡ, ରାଜସ୍ଥାନ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ ରଚୁଥିବା ବେଳେ ଆଜି ପାଇଁ ବି ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାକୁ ସତର୍କ କରାଯାଇଛି । ଡେରାଡୁନ, ନୈନିତାଲ, ପୌଡି, ଉତ୍ତରକାଶୀ, ଚମ୍ପାବନ ଆଦି ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ବର୍ଷା ପରେ ବନ୍ୟା ଜନିତି ଆଶଙ୍କା ଥିବାରୁ ରାଜ୍ୟରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇଛି । ସରକାରୀ ଏବଂ ଘରୋଇ ସ୍କୁଲ ସମେତ ଅଙ୍ଗନବାଡି ମଧ୍ୟ ବନ୍ଦ ରହିଛି ।