ବାତ୍ୟା ‘ଗୁଲାବ୍‌’ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଆଡ଼କୁ ମୁହାଁଉଥିବାରୁ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସମ୍ଭାବନା

କୋଲ୍‌କାତା: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ନିମନ୍ତେ ବାତ୍ୟା ସତର୍କ ସୂଚନା ଜାରି ହୋଇଥିବା ବେଳେ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ କହିଛି ଯେ, ଉତ୍ତରପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ବାତ୍ୟା ‘ଗୁଲାବ୍‌’ ପାଲଟିଯିବ। ବାତ୍ୟା ‘ଗୁଲାବ’ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

Image Courtesy of Kfindtech

ଏହାର ପ୍ରଭାବରୁ କୋଲକାତା, ପୂର୍ବ ମେଦନାପୁର, ଉତ୍ତର ୨୪ ପ୍ରଗଣା ଏବଂ ଦକ୍ଷିଣ ୨୪ ପ୍ରଗଣାରେ ପ୍ରବଳ ବର୍ଷା ଢାଳିବାର ସମ୍ଭାବନା ରହିଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।

Image Courtesy of India Today

ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ପାଇବା ପରେ କୋଲ୍‌କାତା ପୁଲିସ ‘ୟୁନିଫାଏଡ୍‌ କମାଣ୍ଡ୍‌ ସେଣ୍ଟର୍‌’ ନାମରେ ଗୋଟାଏ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବା ସହ ସମସ୍ତ ଥାନା ଓ ଡିଭିଜନ୍‌କୁ ସଜାଗ ରହିବାକୁ ନିର୍ଦେଶ ଦେଇଛି। ବାତ୍ୟାଜନିତ ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ଲାଗି ସମସ୍ତ ଥାନାକୁ ‘ଗମ୍‌ବୁଟ୍‌’ ଏବଂ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତି କରି ରଖିବାକୁ ପରାମର୍ଶ ଦିଆଯାଇଛି।

ଏହାଛଡ଼ା, ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଇଲାକାରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର