ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରେ ୩୬ଘଣ୍ଟା ହେବ ବର୍ଷା ଲାଗି ରହିଛି। ଏତଦ ଦ୍ବାରା ଉକ୍ତ ଜିଲ୍ଲାର ବାସିନ୍ଦା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସହରର ତଳିଆ ଅଞ୍ଚଳ‌ରେ ଥିବା ବସ୍ତିରେ ପାଣି ଭରି ଯାଇଛି। ପୋଖରୀ, ନଦୀ ଓ ନାଳ ଉପ‌ରେ ପାଣି ଚାଲୁଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ ଯୋଗଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

Advertisment

ଏହି କ୍ରମରେ ଗୋହପାରୁ ଭୁରସି ଗ୍ରାମରୁ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି, ପ୍ରବଳବର୍ଷା ସତ୍ତ୍ବେ ପିଲା ପାଠପଢ଼ିବାକୁ ଆସିଛନ୍ତି। ପାଠପଢ଼ିବା ପାଇଁ ଶ୍ରେଣୀଗୃହରେ ବସିଥିବା ବେଳେ ବର୍ଷା ପଡ଼ିବାରୁ ଛତା ଧରି ବସିଛନ୍ତି।

ଏହି ଘଟଣାକୁ ‌ନେଇ କୁହାଯାଉଛି କି, ଅନେକଥର ସ୍କୁଲର ଏଭଳି ଅବସ୍ଥା ପାଇଁ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ଏଯାଏଁ ନିଆଯାଇନାହିଁ।

ଭାଇରାଲ ଭିଡିଓକୁ ନେଇ ଶହଡୋଲ ଜିଲ୍ଲାର ଜିଲ୍ଲାପାଳ ବନ୍ଦନା ବୈଦ୍ୟା କହିଛନ୍ତି, ‘ବର୍ଷା ଲାଗି ରହିଥିବା ହେତୁ  ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଲୋକଙ୍କୁ ନଦୀ, ନାଳ ଓ କେନାଲ ପାଖକୁ ନଯିବା ପାଇଁ ଚେତାବନୀ ଦିଆଯାଇଛି। ଏମିତି କି ଯେଉଁ ସ୍କୁଲର କାନ୍ଥ ଓ ଛାତ ଭାଙ୍ଗି ଯାଇଛି ସେଠାରେ ପିଲାଙ୍କୁ ଏଭଳି ବର୍ଷା ସମୟରେ ନବସାଇବାକୁ ବି ସୂଚନା ଦିଆଯାଇଥିଲା। ଏହାପରେ ବି ସ୍କୁଲକୁ ପିଲା କାହିଁକି ଆସିଛନ୍ତି, ପୁଣି ଏଭଳି ଭଙ୍ଗା ଛାତ ତଳେ କାହିଁକି ଛତା ଧରି ବସିଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।’