ବେଙ୍ଗାଲୁର: ପ୍ରବଳ ବର୍ଷା ହେତୁ ଖୁବ୍‌ ଜୋର୍‌ରେ ପ୍ରଭାବିତ ହୋଇଛି ‘ସିଲିକନ୍‌ ଭ୍ୟାଲି’ ବେଙ୍ଗାଲୁର। ବର୍ଷା ହେତୁ ଚାରିଆଡ଼େ ପାଣି ଜମି ଘର, ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସ, ଟ୍ରାଫିକ୍‌ ଆଦି ଜାମ୍‌ ହୋଇଛି। ଏହି ପ୍ରବଳ ବର୍ଷାରେ ରାସ୍ତାଘାଟରେ ପାଣି ଜମି ରହିଥିବା ବେଳେ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଫିସ୍‌ ଓ ସ୍କୁଲ୍‌-କଲେଜ୍‌ରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ଓ ଟ୍ରାକ୍ଟର ‌ଯୋଗାଇ ଦିଆଯାଇଛି। ଏହି ବର୍ଷ‌ାରେ ରେନ୍‌ବୋ ଡ୍ରାଇଭ୍‌ ଲେଆଉଟ୍‌, ସନି ବୁକ୍ସ ଲେଆଉଟ୍‌ ଓ ସାର୍ଜାପୁର ରୋଡ୍‌ର କିଛି ରାସ୍ତା ଖୁବ୍‌ ଜୋର୍‌ରେ ପ୍ରଭାବିତ ହୋଇଛି।

Advertisment

ଗତ କିଛି ଦିନ ଧରି ବର୍ଷା ଜାରି ଥିବାବେଳେ ଗତକାଲି ରାତିରେ ଲଗାତାର ୯ ଘଣ୍ଟାର ବର୍ଷା‌ ସହରର ଅଧିକାଂଶ ଅଞ୍ଚଳକୁ ବୁଡ଼ାଇ ଦେଇଛି। ଗୋଟିଏ ସପ୍ତାହରେ ଦ୍ବିତୀୟ ଥର ପାଇଁ ବେଙ୍ଗାଲୁରୁ‌ରେ ଜଳବନ୍ଦୀ ଅବସ୍ଥା ଉପୁଜିଛି। ଆଇଏମ୍‌ଡି ଅନୁଯାୟୀ ବେଙ୍ଗାଲୁରୁରେ ଦିନକରେ ୧୩୧.୬ ମିମି ବର୍ଷା ହୋଇଛି। ଏହା ୮ ବର୍ଷ ତଳର ରେକର୍ଡ ବର୍ଷା ପାଖାପାଖି। ସେପ୍ଟେମ୍ବର ୨୬, ୨୦୧୪ରେ ବେଙ୍ଗାଲୁରୁରେ ୧୩୨.୩ ମିମି ବର୍ଷା ହୋଇଥିଲା। ବର୍ଷା ଯୋଗୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଛି। ସର୍ଜାପୁରର ରେନ୍‌ବୋ ଡ୍ରାଇଭ୍‌ ଲେଆଉଟ୍‌, ଆଉଟର ରିଙ୍ଗ ରୋଡ୍‌, ଭରଥୁର, କେଆର ପୁରମ ଆଦି ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

ବିବିଏମ୍‌ପି (ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ)‌ରେ ୧୫୦୦ରୁ ଅଧିକ ଘର ବୁଡ଼ି ଯାଇଛି। ମୁନ୍ନେକୋଲାଲୁ ଏବଂ ବେଲ୍ଲାନ୍ଦୁର ଅଞ୍ଚଳ ବର୍ଷା ଜଳରେ ବୁଡ଼ି ଯାଇଛି। ୩ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରାସ୍ତାଘାଟରେ ପାଣିର ସୁଅ ଛୁଟୁଛି। ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଯାତାୟାତ ପାଇଁ ରାସ୍ତା ଉପରେ ବୋଟ୍‌ ଚାଲୁଛି।