ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକ୍ତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ଝଡ଼ରେ ପରିଣତ ହୋଇ ସାରିଥିବା ଟକ୍ଟେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ। ମେ ୧୮ ତାରିଖ ଅପରାହ୍ଣରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ବାତ୍ୟା ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି। ବାତ୍ୟା ପ୍ରଭାବରେ ଆଜି କେରଳର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି। ଅନେକ ଘର ଭାଙ୍ଗିରୁଜି ଯିବା ସହିତ ଗଛ ଉପୁଡ଼ିଯାଇଛି।
ଗୁଜରାଟ ସମେତ ଗୋଆ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ସତର୍କତା ଜାରି କରାଯାଇଛି। ଶନିବାର ଅପରାହ୍ଣ ଦୁଇଟା ୩୦ ସୁଦ୍ଧା ଏହି ବାତ୍ୟା ଉତ୍ତରପୂର୍ବ ଦିଗରେ ଗତି କରିବା ସହିତ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ରହିଥିଲା। ଗୋଆର ପାଞ୍ଜିମଠାରୁ ଦକ୍ଷିଣ ପଶ୍ଚିମରେ ୨୯୦ କିମି, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିମି ଏବଂ ଗୁଜରାଟର ଭେରାଭାଲଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୮୦ କିମି ଦୂରରେ ବାତ୍ୟା ରହିଛି। ଆସନ୍ତା ୧୮ ତାରିଖ ଅପରାହ୍ଣ କିମ୍ବା ସଂଧ୍ୟା ସୁଦ୍ଧା ଏହି ବାତ୍ୟା ଗୁଜରାଟର ପୋରବନ୍ଦର ଏବଂ ନାଲିୟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଏନ୍ଡିଆର୍ଏଫ୍ର ୫୦ରୁ ଅଧିକ ଟିମ୍ ମୁତୟନ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବାତ୍ୟା ତୌକ୍ତେକୁ ନେଇ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ଜୋର୍ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଦ୍ବାରା ହୋଇଥିବା ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି। ଲୋକଙ୍କୁ ପ୍ରଭାବିତ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ, ଦୂରସଂଚାର, ସ୍ବାସ୍ଥ୍ୟ ଏବଂ ପାନୀୟଜଳ ଭଳି ଅତ୍ୟାବଶ୍ୟକ ସେବା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ହସ୍ପିଟାଲଗୁ୍ଡ଼ିକରେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା, ଭ୍ୟାକ୍ସିନ କୋଲ୍ଡ ଚେନ୍, ପାୱାର ବ୍ୟାକ୍ଅପ୍ ଏବଂ ବାତ୍ୟା ଦ୍ବାରା ପ୍ରଭାବିତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ଗୁରୁତ୍ବାରୋପ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/gj94g9j4d98g4j89dgj89dg798jdgjjjjjjjjjjjjjjjjjjj.jpg)