ତାମିଲନାଡ଼ୁରେ ଲଗାଣ ବର୍ଷା, ୧୪ ମୃତ: ଅସୁସ୍ଥ ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ହସ୍ପିଟାଲ୍‌ ଦୌଡ଼ିଲେ ମହିଳା ପୁଲିସ

ଚେନ୍ନାଇ : ତାମିଲନାଡ଼ୁରେ ଲଗାଣ ବର୍ଷା ଯୋଗୁଁ ଜଳ ପ୍ରଳୟ ସୃଷ୍ଟି ହୋଇଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସଡ଼କ, ରେଳ ଏବଂ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ତଳିଆ ଅଞ୍ଚଳରେ ଥିବା ଘର ଏବଂ ହସ୍ପିଟାଲ୍‌ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଚେନ୍ନାଇ ଏବଂ ପୁଡ଼ୁଚେରୀ ସମେତ ୮ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଚେନ୍ନାଇ ଏବଂ ତାମିଲନାଡ଼ୁର ଅନ୍ୟ ୭ ଜିଲ୍ଲା ପାଇଁ ଆସନ୍ତାକାଲି ମଧ୍ୟ ଅତି ପ୍ରବଳ ବର୍ଷା ଅନୁମାନ କରାଯାଇଛି। ତିରୁଭଲ୍ଲୁର, ରାଣିପେଟ, ଭେଲ୍ଲୋର, ତିରୁପତ୍ତୁର, ତିରୁବନ୍ନମଲାଇ, କଲ୍ଲକୁରିଚି ଏବଂ ସଲେମରେ ହାଇ ଆଲର୍ଟ ଜାରି ହୋଇଛି। ଲଗାତାର ୪ ଦିନ ଧରି ଚେନ୍ନାଇ ଏବଂ ଅନ୍ୟ ଜିଲ୍ଲାମାନଙ୍କରେ ସ୍କୁଲ୍‌ ଏବଂ କଲେଜ ବନ୍ଦ ରହିଛି। ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଆଜି ଅପରାହ୍ନ ୧.୧୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରକୁ ସବୁ ବିମାନର ଆଗମନ ବନ୍ଦ ଥିଲା।

ଚେନ୍ନାଇରେ ଲଗାଣ ବର୍ଷା ଅଧିକ ଚିନ୍ତାଜନକ ହୋଇଛି। ସହରର ଅନେକ ଅଂଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ଆଇଏମ୍‌ଡି ପୁଣି ଏକ ଲଘୁଚାପ ଆକଳନ କରିଥିବାରୁ ଚେନ୍ନାଇରେ ଅଧିକରୁ ଅଧିକ ବର୍ଷା ହୋଇପାରେ। ଏନେଇ କର୍ତ୍ତୃପକ୍ଷମାନଙ୍କର ଚିନ୍ତା ବଢ଼ିଛି। ଉଲ୍ଲେଖଯୋଗ୍ୟ, ଉତ୍ତରପୂର୍ବ ମୌସୁମୀ ତଥା ଅକ୍ଟୋବର ୧ରୁ ନଭେମ୍ବର ୧୧ ମଧ୍ୟରେ ତାମିଲନାଡ଼ୁ ୫୬ ପ୍ରତିଶତ ଅତିରିକ୍ତ ବର୍ଷାଜଳ ଗ୍ରହଣ କରିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଆଜି ରିଲିଫ୍‌ ପ୍ରସ୍ତୁତି ସମୀକ୍ଷା କରିଥିଲେ। ଚେନ୍ନାଇରେ ଜରୁରୀ ସ୍ଥିତି ମୁକାବିଲା ପାଇଁ ୭୫ ହଜାର ପୁଲିସ ମୁତୟନ ହୋଇଛନ୍ତି।

ଚେନ୍ନାଇ : ଚେନ୍ନାଇରେ ଲଗାଣ ବର୍ଷା ଅତି ଦୟନୀୟ ସ୍ଥିତି ସୃଷ୍ଟି କରିଛି। ଲୋକମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଏଭଳି ସ୍ଥିତି‌ରେ ଜଣେ ମହିଳା ପୁଲିସ ସଙ୍କଟରେ ଥିବା ଜ‌ଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ଉଦାହରଣ ପାଲଟିଛନ୍ତି। ‌ଚେନ୍ନାଇର ଟିପି ଚତ୍ରମରେ ଏକ ସମାଧୀସ୍ଥଳ ନିକଟରେ ଜଣେ ବୃଦ୍ଧ ଅଚେତ ହୋଇ ପଡ଼ିଯାଇଥିଲେ। ରାଜେଶ୍ବରୀ ନାମକ ଜଣେ ମହିଳା ପୁଲିସ ଇନ୍ସ‌ପେକ୍ଟର ତାଙ୍କୁ ସଙ୍ଗେସଙ୍ଗେ କାନ୍ଧରେ ପକାଇ ଅଟୋ ପର୍ଯ୍ୟନ୍ତ ନେଇଥିଲେ ଏବଂ ଅଟୋରେ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ। ମହିଳା ପୁଲିସ ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ପୁଲିସ ଇନ୍ସପେକ୍ଟର ରାଜେଶ୍ବରୀଙ୍କ କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସାର ଶୁଅ ଛୁଟିଛି।

ସମ୍ବନ୍ଧିତ ଖବର