ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁ ସାରା ସହର ଜଳମଗ୍ନ ହୋଇଯାଇଛି। ବିମାନ ଓ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ସହରର କିଛି ସ୍ଥାନରେ ମାତ୍ର ୬ ଘଣ୍ଟା (ରାତି ୧ଟାରୁ ସକାଳ ୭ଟା)ରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି। ଆଇଏମ୍ଡି (ଭାରତୀୟ ପାଣିପାଗ ବିଭାଗ) ମୁମ୍ବାଇ, ଥାନେ, ପାଲଘର ଏବଂ କୋଙ୍କଣ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ବିଖରୋଲିର ବୀର ସବରକର ମାର୍ଗ, ମୁନିସିପାଲ ସ୍କୁଲ ଏବଂ ଏମସିଏମସିଆର ପୋୱାଇରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୧୫ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁ ମୁମ୍ବାଇରେ ୫୦ରୁ ଅଧିକ ବିମାନ ବାତିଲ ହୋଇଛି। ବିଭିନ୍ନ ଏୟାରଲାଇନ୍ସ ଏକ୍ସରେ ପୋଷ୍ଟ୍ କରି ଯାତ୍ରୀମାନଙ୍କୁ ସୂଚନା ଦେଇଛନ୍ତି।
ବିମାନବନ୍ଦର ଯିବା ପୂର୍ବରୁ ବିମାନର ଷ୍ଟାଟସ୍ ସଂକ୍ରାନ୍ତରେ ଜାଣିବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଛି। ମୁମ୍ବାଇର ଅନେକ ସ୍ଥାନରେ ଅଣ୍ଟାଯାଏଁ ପାଣି ଜମିଛି। ସହରରେ ସମସ୍ତ ସରକାରୀ, ଘରୋଇ ଏବଂ ମୁନସିପାଲ ସ୍କୁଲ୍ ଓ କଲେଜ ବନ୍ଦ କରାଯାଇଛି। ଆଜି ସକାଳ ୬ଟା ୩୦ ସମୟରେ ରେଳ ଧାରଣାଗୁଡ଼ିକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏଯାବତ୍ ଥାନେ, ବସାଇ, ଚିପଲୁନ, କୋହ୍ଲାପୁର, ସତରା, ଘଟକୋପୁର, କୁର୍ଲା ଏବଂ ସିନ୍ଧୁଦୁର୍ଗରେ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ହୋଇଛନ୍ତି। ଥାନେରେ ଏକ ଜଳବନ୍ଦୀ ରିସୋର୍ଟରୁ ଏନ୍ଡିଆର୍ଏଫ୍ ୪୯ ଲୋକଙ୍କୁ ଏବଂ ପାଲଘରରେ ୧୬ ଗ୍ରାମବାସୀଙ୍କୁ ଉଦ୍ଧାର କରିଛି।