ଲଗାଣ ବର୍ଷାରେ ବେହାଲ ବିହାର-ଉତ୍ତରପ୍ରଦେଶ, ମୃତ୍ୟୁ ସଂଖ୍ୟା ୮୦ଟପିଲା

ପାଟନା : ଲଗାଣ ବର୍ଷାରେ ବେହାଲ ହେଲାଣି ବିହାର-ଉତ୍ତରପ୍ରଦେଶ । ଏହି ଦୁଇଟି ରାଜ୍ୟରେ ଥିବା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ୮୦ରୁ ଉର୍ଦ୍ଧ ଲୋକ ମୃତ୍ୟୁବରଣ କରି ସାରିଥିବା ଜଣା ପଡ଼ିଛି । କିଛି ଦିନ ହେବ ବର୍ଷା ଲାଗି ରହିଥିବାରୁ ଘରର କାନ୍ଥ ଭୁଷୁଡ଼ି ବିହାରର ଭାଗଲପୁରରେ ରବିବାର ୩ଜଣ ମୃତ୍ୟୁବରଣ କରିଛନ୍ତି । ପରିସ୍ଥିତିକୁ ଦେଖି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି । ବର୍ଷା ପାଣି ଘର ସହ ଡାକ୍ତରଖାନାରେ ପଶିଥିବାରୁ ଲୋକଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଥିବା ବେଳେ ବର୍ଷା ପାଣିରେ ଚାଲି ଚାଲି ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚିବାକୁ ପଡ଼ୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ ରହିଥିବା ବେଳେ ଅନେକ ଟ୍ରେନ୍‌ ଯାତାୟତକୁ ବାତିଲ କରି ଦିଆଯାଇଛି ।

ସେହିଭଳି ଭାବରେ ଉତ୍ତରପ୍ରଦେଶରେ ଲଗାଣ ବର୍ଷାର ଶିକାର ହୋଇ ଶନିବାର ୩୫ଜଣ ଲୋକ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ଆଜମଗଡ ଓ ମିର୍ଜାପୁରରେ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ଗାଜିପୁର ଓ ଆମ୍ବେଦକର ନଗରରେ ୩ଜଣ ମୃତ୍ୟୁବରଣ କରିଛନ୍ତି । ସେହି ଭଳି ଭାବରେ ଗୋରଖପୁରରେ ୨ଜଣ, ଫିରୋଜାବାଦ୍‌ରେ ୨ଜଣ, ଉନ୍ନାଓରେ ୨ଜଣ, ବାନ୍ଦାରେ ୨ଜଣ, ବାଲିଆରେ ୨ଜଣ ଓ ସୀତାପୁରରେ ୨ଜଣ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ୪୪ଜଣ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଥିଲା । ପରିସ୍ଥିତିକୁ ଦେଇ ଦୁଇ ରାଜ୍ୟର ସରକାର ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ଆଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର