୨୪ ଘଣ୍ଟାରେ ଉଗ୍ରରୂପ ଧାରଣ କରିବ ଘୂର୍ଣ୍ଣିବାତ୍ୟା ‘କ୍ୟାର୍‌’

ସଜାଗ କର୍ଣ୍ଣାଟକ, ଗୋଆରେ ତଟରକ୍ଷୀ ବାହିନୀ ଜାହାଜ ମୁତୟନ

ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘କ୍ୟାର୍‌’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉଗ୍ର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ଫଳରେ ଗୋଆ, କର୍ଣ୍ଣାଟକ, ମହରାଷ୍ଟ୍ର ବ୍ୟତୀତ ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ସୂଚନାଯୋଗ୍ୟ, ଉତ୍ତର ଏବଂ ଦକ୍ଷିଣ ଗୋଆରେ ଅତି ପ୍ରବଳ ବର୍ଷା ହେବ ବୋଲି ଗତକାଲି ପାଣିପାଗ ବିଭାଗ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଥିଲା। ମାତ୍ର, ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ପ୍ରବଳ ଘୂର୍ଣ୍ଣିଝଡ଼ର ରୂପ ନେଇ ଓମାନ୍‌ ଉପକୂଳର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ଆଜି ସୂଚନା ଦେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବ। ଏଣୁ ଏହି ୪ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ‘କ୍ୟାର୍‌’ର ଭୟବହତାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସମୁଦ୍ର ପ୍ରହରୀ, ଅମଲ, ଅପୂର୍ବ, ଅମର୍ତ୍ତ୍ୟ ଏବଂ ରାଜଦୂତକୁ କର୍ଣ୍ଣାଟକ-ଗୋଆ ତଟରେ ସଜାଗ କରି ରଖାଯାଇଛି।

ସମ୍ବନ୍ଧିତ ଖବର