ଆଜି ସନ୍ଧ୍ୟାରେ ବାଲେଶ୍ବର ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ ପାଲଟିଥିବା ଲଘୁଚାପ

ନୂଆଦିଲ୍ଲୀ: ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପାଲଟିବାକୁ ଥିବା ଗତକାଲିର ଲଘୁଚାପ କ୍ଷେତ୍ର ଆଜି ସନ୍ଧ୍ୟାସୁଦ୍ଧା ବାଲେଶ୍ବର ଓ ସାଗର ଦ୍ବୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସଦ୍ୟତମ ବୁଲେଟିନ୍‌ ଅନୁସାରେ, ବଙ୍ଗୋପସାଗର ଉତ୍ତରପୂର୍ବ ଓ ପୂର୍ବକେନ୍ଦ୍ରୀୟ ସଂଲଗ୍ନ ଅଞ୍ଚଳ, ବାଂଲାଦେଶ ଏବଂ ମିଆଁମାର୍‌ ଉପକୂଳରେ ସଂଘଠିତ ଗତକାଲିର ମୌସୁମୀ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ଲଘୁଚାପରେ ଘନୀଭୂତ ହୋଇ ଆଜି ଭୋର୍‌ ୫.୩୦ ବେଳକୁ ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଛି।

ସ୍ଥଳଭାଗରୁ ଆକଳନ କଲେ ଘନୀଭୂତ ଲଘୁଚାପ ଓଡ଼ିଶାର ବାଲେଶ୍ବରର ଦକ୍ଷିଣପୂର୍ବକୁ ୩୧୦ କିଲୋମିଟର, ପଶ୍ଚିମବଙ୍ଗର ଦିଘାର ପୂର୍ବ-ଦକ୍ଷିଣପୂର୍ବକୁ ୨୫୦ କିଲୋମିଟର୍‌ ଏବଂ ସାଗର ଦ୍ବୀପର ପୂର୍ବ-ଦକ୍ଷିଣପୂର୍ବକୁ ୨୧୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଛି।

Image Courtesy of Mint

ଉକ୍ତ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବା ପରେ ତୀବ୍ରତର ହୋଇ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପାଲଟିଯିବାର ସମ୍ଭାବନା ଅଛି। ଏହି ଅବପାତ ଉପରୋକ୍ତ ଦିଗରେ ଗତିଶୀଳ ହୋଇ ଆଜି ସନ୍ଧ୍ୟା ବେଳକୁ ବାଲେଶ୍ବର ଓ ସାଗର ଦ୍ବୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ସ୍ଥଳଭାଗରେ ପ୍ରବେଶ କରିବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ଆଡ଼କୁ ଯାଇ କ୍ରମଶଃ ଦୁର୍ବଳ ହୋଇପଡ଼ିବ।

ଏହାର ପ୍ରଭାବରେ ଆଗାମୀ ୩ ଦିନ ଧରି ପୂର୍ବ କେନ୍ଦ୍ରୀୟ ଭାରତରେ ଅତି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗର ବୁଲେଟିନ୍‌ରୁ ଜଣାପଡ଼ିଛି ଯେ, ଅଗଷ୍ଟ୧୯ ତାରିଖରେ ପଶ୍ଚିମବଙ୍ଗ ଓ ସିକିମ୍‌ରେ, ଅଗଷ୍ଟ ୨୦ରେ ବିଦର୍ଭ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଏବଂ ଅଗଷ୍ଟ ୨୧ରେ ପୂର୍ବ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅସରା ହେବାର ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର