ଗାନ୍ଧୀନଗର: ପାଣି.. ପାଣି.. ପାଣି.. ରାସ୍ତାରେ ଏତେ ପାଣି ଯେ ରାସ୍ତା ଦିଶୁନି । କାଲି ଯେଉଁଠି ଚକାଚକ ଥିଲା ରାସ୍ତା, ଆଜି ସେଇଠି ରାସ୍ତା ନାହିଁ । ବରଂ ରାସ୍ତାଟା ନଈ ପାଲଟି ଯାଇଛି । ବର୍ଷା ପରେ ପାଣିର ପରିମାଣ ଏତେ ମାତ୍ରାରେ ବଢିଛି ଯେ ରାସ୍ତାରେ ସବୁ ଗାଡି ଭାସିଲା ପରି ଦିଶୁଛି । ଅଣ୍ଟେ ଅଣ୍ଟେ ପାଣିରେ ବସ୍ ଠାରୁ ଟ୍ରକ୍ ଏବଂ ବାଇକ୍ ଯାଉଥିବା ବେଳେ ସବୁ ଗାଡି ରାସ୍ତାରେ ଭାସୁଥିବା ଡଣା ପଡୁଛି । ଏମିତି ଲାଗୁଛି ରାସ୍ତା ନଈ ପାଲଟିଯାଇଛି ଆଉ ଗାଡି ସବୁ ଚାଲୁ ନାହାନ୍ତି ବରଂ ଭାସୁଛନ୍ତି ।
ଏ ଦୃଶ୍ୟ ଆସିଛି ବ୍ୟବସାୟର ସହ ସୁରଟରୁ । ରଘୁକୂଳ ରେଳ ଓଭରବ୍ରିଜ ତଳେ ଲଗାଣ ବର୍ଷା ପରେ ପାଣି ଜମିଛି । ଆଉ ସେହି ସ୍ଥାନରେ ଗାଡି ସବୁ ପାଣିରେ ଭାସମାନ ପରି ଲାଗୁଛନ୍ତି । ବର୍ଷା ପରେ ଜଳବନ୍ଦୀ ସ୍ଥିତି ସାଧାରଣ ଜୀବନକୁ ପ୍ରଭାବିତ କରିଛି ।
ତେବେ ଆଜି ମୌସୁମୀ ଜନିତ ବର୍ଷାରେ ବେହାଲ ହୋଇଛି ସୁରଟ । ସକାଳେ ସକାଳେ ଲଗାଣ ବର୍ଷା ପରେ ସହରରେ ବନ୍ୟା ପରି ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ଫଳରେ ସହର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଛିଡ଼ା ହୋଇଛି ଯାହା ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି । ଜଳ ପାଇଁ ସହରରେ ଦେଖା ଦେଇଛି ଟ୍ରାଫିକ ସମସ୍ୟା । ବର୍ଷା ଏତେ ଜୋରରେ ହୋଇଛି ଯେ ରାସ୍ତାରେ ବାଇକ୍ ସବୁ ଭାସୁଥିବା ଦେଖିବାକୁ ମିଳିଛି ଆଉ କାର୍ ଅଧା ବୁଡି ଯାଇଛି ।
ଆଜି ସକାଳ ୮ରୁ ୧୦ଟା ଯାଏଁ ପ୍ରବଳ ବର୍ଷା ହୋଇଥିଲା । ଯାହା ଫଳରେ ସହର ଜଳବନ୍ଦୀ ହୋଇଛି । ବର୍ଷା ଜଳ ବିଭିନ୍ନ ଆପାର୍ଟମେଣ୍ଟରର ତଳେ ରହୁଥିବା ଲୋକଙ୍କ ଘରେ ପଶିଛି ଏବଂ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବର୍ଷା ପାଇଁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପିଲା ଏବଂ ଶିକ୍ଷକଙ୍କ ପାଇଁ ସ୍କୁଲକୁ ଛୁଟି ରଖାଯାଇଛି । ଡ୍ରେନେଜ ସମସ୍ୟା ପାଇଁ ସହରର ମୁଖ୍ୟ ରାସ୍ତାର ପାଣି ଜମା ହୋଇଛି । ଲୋକେ ସେହି ପାଣିରେ ପଶି ଯାଉଥିବା ଦେଖିବାକୁ ମିଳିଛି ।