ଦେଶରେ ସଂକ୍ରମଣ କମୁଛି, ଅତିରିକ୍ତ କଟକଣା ହଟାଅ : ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନାର ୩ୟ ଲହରର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇଚାଲିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କୋଭିଡ୍ କଟକଣାକୁ ଧୀରେ ଧୀରେ କୋହଳ କରାଯାଉଛି । ତେବେ କେତେକ ଅତିରିକ୍ତ କଟକଣା ଏବେ ବି ଲାଗୁ ରହିଛି । ଏସବୁ ଅତିରିକ୍ତ କଟକଣାକୁ ହଟାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରମାନେ ସଂକ୍ରମଣ ସ୍ଥିତି, ସକ୍ରିୟ ସଂକ୍ରମଣ ସଂଖ୍ୟା, ପଜିଟିଭିଟି ହାର ଆଦିର ସମୀକ୍ଷା କରିବା ସହ ଲାଗୁ ରହିଥିବା ଅତିରିକ୍ତ କଟକଣାଗୁଡ଼ିକୁ ପ୍ରତ୍ୟାହାର କରିନିଅନ୍ତୁ ।

କଟକଣା ହଟାଇବା ସହ ପ୍ରଶାସନ ପକ୍ଷରୁ ଦୈନିକ ଭିତ୍ତିରେ ସଂକ୍ରମଣ ହାରର ସମୀକ୍ଷା ଜାରି ରଖିବା ଉଚିତ । ପୂର୍ବପରି କୋଭିଡ ପରୀକ୍ଷା, ଟ୍ରାକିଂ, ଟିକାକରଣ, କୋଭିଡ ନିରୋଧୀ ଆଚରଣ ଉପରେ ଗୁରୁତ୍ବ ଜାରି ରହିବା ଉଚିତ ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ୩ୟ ଲହର ଆସିବା ପରେ ଗତ ଡିସେମ୍ବର ମାସରେ ରାଜ୍ୟ ସରକାରମାନେ ଅତିରିକ୍ତ କଟକଣା ଲଗାଇଥିଲେ । କେତେକ ରାଜ୍ୟରେ ରାତି କର୍ଫ୍ୟୁ ଲଗାଯାଇଥିଲା, ଜନସମାଗମ ଉପରେ କଟକଣା ଲଗାଯାଇଥିଲା । ଏପରିକି ନିର୍ବାଚନ ପ୍ରଚାର ଉପରେ ବି କେତେକ କଟକଣା ଲଗାଯାଇଥିଲା ।

 

ସମ୍ବନ୍ଧିତ ଖବର