ଜଣେ କରୋନା ସଂକ୍ରମିତ ଏକାନ୍ତବାସରେ ନ ରହିଲେ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିବ : ଆଇସିଏମଆର ସର୍ଭେ

ନୂଆଦିଲ୍ଲୀ : ଯଦି ଜଣେ କରୋନା ସଂକ୍ରିମତ ଏକାନ୍ତବାସରେ ନ ରୁହେ ତେବେ ମାତ୍ର ୩୦ ଦିନ ମଧ୍ୟରେ ସେ ପ୍ରାୟ ୪୦୬ ଜଣଙ୍କୁ ସଂକ୍ରମିତ କରିଦେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦର ଏକ ଅଧ୍ୟୟନରୁ ଜଣାପଡ଼ିଛି । ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି ।
ମନ୍ତ୍ରାଳୟର ଦୈନିକ ସାମ୍ବାଦକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଦେଶରେ କରୋନା ଭାଇରସର ମୁକାବିଲା ଓ ଏହି ସ୍ଥିତିର ପରିଚାଳନା ପାଇଁ ସରକାର କ୍ଲଷ୍ଟର ପରିଚାଳନା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ଯୋଜନା ଆଗ୍ରା,ଗୌତମବୁଦ୍ଧ ନଗର, ପ୍ରଥନମିତିଟା, ଭିଲଓ୍ୱାରା ଓ ପୂର୍ବ ଦିଲ୍ଲୀରେ ବେଶ ସଫଳ ହୋଇଛି ।
ସେ କହିଛନ୍ତି ଯେ ଭାରତୀୟ ରେଳ ପ୍ରାୟ ୨୫୦୦ ରେଳଡବାରେ ମୋଟ ୪୦,୦୦୦ ଆଇସୋଲେସନ ଶଯ୍ୟା ପ୍ରସ୍ତୁତ କରିଛି । ଦିନକୁ ପ୍ରାୟ ୩୭୫ଟି ଆଇସୋଲେସନ ଶଯ୍ୟା ପ୍ରସ୍ତୁତ କରାଯାଉଛି । ଦେଶରେ ୧୩୩ଟି ସ୍ଥାନରେ ଏପରି ବ୍ୟବସ୍ଥା କରାଯାଉଛି ।
ଦେଶରେ ୩୨୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ଦେଶରେ ମୋଟ ୪୪୨୧ ଟି କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୩୫୪ଟି ମାମଲା ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର