ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା ପାଇଁ ହାଜର ହେବାକୁ ସମନ କରିଥିଲା। କିନ୍ତୁ ସୋରେନ ଇଡିରେ ହାଜର ହୋଇନାହାନ୍ତି। କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଅପବ୍ୟବହାର କରୁଛନ୍ତି ବୋଲି ସୋରେନ ଅଭିଯୋଗ କରିଛନ୍ତି ଏବଂ ଇଡିକୁ ଚ୍ୟାଲେଂଜ କରିଛନ୍ତି। ସୋରେନ କହିଛନ୍ତି, ଯଦି ମୁଁ ଏତେବଡ଼ ଅପରାଧ କରିଛି ତେବେ ମତେ ଆସି ଗିରଫ କର। ସମନ କାହିଁକି ପଠାଉଛ ? ସୋରେନ କହିଛନ୍ତି, ମତେ ଆଜି ଇଡିରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ଆଜି ଛତିଶଗଡ଼ରେ ମୋର ଅନ୍ୟ ଏକ କାମ ଥିଲା। ଯଦି ମୁଁ ସେଭଳି କିଛି ବଡ଼ ଅପରାଧ କରିଛି ତେବେ ମତେ ଆସି ସେମାନେ ଗିରଫ କରିପାରନ୍ତି।
ଇଡି ଅଫିସ ବାହାରେ ସୁରକ୍ଷା କାହିଁକି କଡ଼ାକଡ଼ି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସୋରେନ କହିଛନ୍ତି, ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରକୁ ବିଜେପି କେନ୍ଦ୍ରୀୟ ସଂସ୍ଥା ବ୍ୟବହାର କରି ଦୋହଲାଇବାକୁ ଚେଷ୍ଟା କରୁଛି। କିନ୍ତୁ ମୁଁ ଇଡି ଏବଂ ସିବିଆଇକୁ ଭୟ କରୁନି। ସୂଚନାନୁଯାୟୀ, ସୋରେନ ଇଡିରେ ହାଜର ହେବାପାଇଁ ୩ ସପ୍ତାହ ସମୟ ମାଗିଛନ୍ତି।
ଏକ ରାଜନୈତିକ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ସୋରେନ ଆଜି ତାଙ୍କ ଦଳୀୟ କର୍ମୀମାନଙ୍କୁ ଏକ ସଭାରେ ଆହ୍ବାନ ଦେଇଛନ୍ତି। ସୋରେନ କହିଛନ୍ତି, ସେମାନଙ୍କ ସରକାର ଭାଙ୍ଗିବାପାଇଁ ବିଜେପି ଯେଉଁ ଷଡ଼ଯନ୍ତ୍ର କରୁଛି ତାହା ପଦାରେ ପକାଇବାପାଇଁ ତାଙ୍କ କର୍ମୀମାନଙ୍କୁ ଗାଁକୁ ଫେରିବାକୁ ପଡ଼ିବ। ସୋରେନଙ୍କୁ ଇଡି ସମନ କରିବାପରେ ଝାଡ଼ଖଣ୍ଡରେ ଉପା ସରକାର ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ ବୋଲି ଘୋଷଣା କରିଛି।