ନୂଆଦିଲ୍ଲୀ: ଭାରତରେ ପ୍ରାୟ ଅଧ ଡଜନରୁ ଅଧିକ ଏମ୍‌ଆଇ-୧୭ ହେଲିକପ୍ଟରର ଦୁର୍ଘଟଣା ଘଟିଲାଣି। ଏହାର କାରଣ ବିଷୟରେ ଅନେକ ଅନୁସନ୍ଧାନ ବି ହେଲାଣି। ଆଉ କିଛି ତଦନ୍ତ ଏବେ ବି ଜାରି ରହିଛି। ଗୋଟିଏ ଘଟଣାରେ ସାମାନ୍ୟ ଅବହେଳାରୁ ଜଣେ କେବିନ୍ କ୍ରୁଙ୍କ ଜୀବନ ଯାଇଥିଲା। ଆଉ ଗୋଟିଏ ଘଟଣାରେ ନିଆଁଲିଭା ବ୍ୟବସ୍ଥାର ଅଭାବ ଯୋଗୁ ଦୁର୍ଘଟଣା ଘଟିଥିଲା। ସିଡିଏସ୍ ବିପିନ ରାୱତଙ୍କ ଏମ୍‌ଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପଛରେ ହୁଏତ ସେହି କାରଣ ଥାଇପାରେ। ତେବେ ଅନୁସନ୍ଧାନ ପରେ ତା’ର ପ୍ରକୃତ କାରଣ ଜଣାପଡ଼ିବ।

Advertisment

କିନ୍ତୁ ତଦନ୍ତ କାର୍ଯ୍ୟ ସରିବାକୁ ପ୍ରାୟ ବର୍ଷେ ଲାଗିଯାଏ। ଏହି ଦୀର୍ଘ ସମୟ ଭିତରେ ବିମାନ ବା ହେଲିକପ୍ଟରର ଟିକିନିଖି ବିବରଣୀ ସଂଗ୍ରହ କରାଯାଏ- ଏହା କେବେ ତିଆରି ହୋଇଥିଲା, ଏହାର ରକ୍ଷଣାବେକ୍ଷଣ ନିୟମିତ ଭାବେ ହେଉଥିଲା କି ନାହିଁ, ଲୋଡ୍ ସିଟ୍, ପୂର୍ବର ରେକର୍ଡ, ସମସ୍ତ ପାର୍ଟ (ଯନ୍ତ୍ରାଂଶ)ର ବିବରଣୀ, ଆଜିଯାଏ କେତେ ଘଣ୍ଟା ଉଡ଼ାଣ ଭରିଛି, କ୍ଷମତା, ଫିଟ୍‌ନେସ୍, ପାଣିପାଗ ଅବସ୍ଥା ଇତ୍ୟାଦି।

ବିମାନ ଦୁର୍ଘଟଣାର କାରଣ ଜାଣିବାରେ ବ୍ଲାକ୍‌ ବକ୍ସ ସାହାଯ୍ୟ କରେ। କକ୍‌ପିଟ୍‌ରେ ପାଇଲଟ୍ ଓ ‌େକା-ପାଇଲଟ୍ କ’ଣ କଥା ହେଉଥିଲେ, ତାହା ଏଥିରେ ରେକର୍ଡ ହୋଇଯାଇଥାଏ। ବିମାନ ବା ହେଲିକପ୍ଟରର ପ୍ରଦର୍ଶନ ଓ ଅବସ୍ଥା ବିଷୟରେ ମଧ୍ୟ ଏଥିରୁ ଜଣାଯାଏ। ଏମ୍‌ଆଇ-୧୭ ହେଲିକପ୍ଟରରେ ଏକ ଡିଜିଟାଲ ଫ୍ଲାଇଟ୍ ଡାଟା ରେକର୍ଡର ଓ କକ୍‌ପିଟ୍ ଭଏସ୍ ରେକର୍ଡର ଖଞ୍ଜାଯାଇଛି। ଏହା ଅନେକ ପ୍ରକାର ଆନାଲଗ୍ ଓ ଡିସ୍କ୍ରିଟ୍ ପାରାମିଟରକୁ ରେକର୍ଡ କରେ। ଏହି ରେକର୍ଡକୁ ବୁଝିବା ପାଇଁ ତାକୁ ଡିକୋଡିଂ କରିବାକୁ ପଡ଼େ। ସେଥିପାଇଁ ବ୍ଲାକ୍ ବକ୍ସର ତଥ୍ୟକୁ ମସ୍କୋ ପଠାଯାଏ କାରଣ ଏହି ହେଲିକପ୍ଟର ରୁଷିଆରେ ନିର୍ମିତ। ନ ହେଲେ ତଦନ୍ତ ଅଧିକାରୀମାନେ ରୁଷିଆରୁ ବିଶେଷଜ୍ଞଙ୍କୁ ଭାରତ ଆସିବାକୁ ଅନୁରୋଧ କରନ୍ତି, ଯେଉଁ ଅନୁରୋଧ ଅନେକ ସମୟରେ ରକ୍ଷା ନ ହେବାର ବି ସମ୍ଭାବନା ଥାଏ।

୨୦୧୧ରେ ଗୋଟିଏ ଏମ୍‌ଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୱନହଂସ ହେଲିକପ୍ଟର ଏମ୍‌ଆଇ-୧୭୨ ୨୩ ଜଣ ଲୋକଙ୍କୁ ନେଇ ଯାଉଥିଲା, ଯେଉଁଥିରେ ୪ ଜଣ କର୍ମଚାରୀ ଏବଂ ୧୯ ଜଣ ଯାତ୍ରୀ ଓ ମେଣ୍ଟନାନ୍ସ ଇଂଜିନିୟର ଥିଲେ। ଅରୁଣାଚଳ ପ୍ରଦେଶରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁଆହାଟୀରୁ ତାୱଙ୍ଗ ସିଭିଲ ହେଲିପ୍ୟାଡ୍‌କୁ ଯିବା ପର୍ଯ୍ୟନ୍ତ କିଛି ସମସ୍ୟା ନ ଥିଲା। କିନ୍ତୁ ହେଲିପ୍ୟାଡ୍‌ରେ ଅବତରଣ କରିବା ବେଳେ ହେଲିକପ୍ଟରଟି ହେଲିପ୍ୟାଡ୍‌ ସ୍ତରର ଅଧିକ ତଳକୁ ଖସିଗଲା ଓ ବାମପଟକୁ ଓଲଟିପଡ଼ିଲା।

ବାମକୁ ଗଡ଼ିଯିବା ପରେ ଏଥିରେ ନିଆଁ ଲାଗିଗଲା। ଏଥିରେ ଥିବା ସମସ୍ତ ୧୯ ଜଣ ବ୍ୟକ୍ତି ମରିଗଲେ। ସିଡିଏସ୍ ରାୱତଙ୍କ ହେଲିକପ୍ଟର ପରି ଏହା ପୂରା ଜଳିଯାଇଥିଲା। ତଦନ୍ତ ଦାୟିତ୍ବରେ ଥିବା ଅବସରପ୍ରାପ୍ତ ଏୟାର ମାର୍ସାଲ ପିପି ରାଜକୁମାର ତାଙ୍କ ରିପୋର୍ଟରେ କହିଛନ୍ତି, ଦୁର୍ଘଟଣାରୁ ବଞ୍ଚିବା ସମ୍ଭବ ହୋଇଥାନ୍ତା। କିନ୍ତୁ ଯଥେଷ୍ଟ ନିଆଁଲିଭା ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଉପକରଣ ଏବଂ ତାଲିମପ୍ରାପ୍ତ କର୍ମଚାରୀ ନ ଥିବା ଯୋଗୁ କେହି ବଞ୍ଚିବା ସମ୍ଭବ ହେଲାନି।

ସେହିପରି ୨୦୧୦ ଅଗଷ୍ଟରେ ପୱନହଂସ ହେଲିକପ୍ଟର ଏମ୍‌ଆଇ-୧୭୨ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନାମସାଇରୁ ହେଲିକପ୍ଟରଟି ଉଡ଼ିବା ଆରମ୍ଭ କରିବା ପରେ ବାମପଟ କବାଟଟି ଖୋଲିଗଲା ଏବଂ ଜଣେ ବିମାନ କର୍ମଚାରୀ ସାଢ଼େ ୭ କିମି ଉଚ୍ଚରୁ ତଳକୁ ଏକ ପଡ଼ିଆ ଉପରେ ଖସିପଡ଼ିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ କାହାରି କିଛି ହୋଇ ନ ଥିଲା। ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି କୁହାଯାଇଛି।

ସେନା ହେଲିକପ୍ଟର ଦୁର୍ଘଟଣା

ମେଜର ଜେନେରାଲ ଭାବେ ପଦୋନ୍ନତି ପାଇଥାନ୍ତେ ଲଖୱିନ୍ଦର ସିଂହ

publive-image

ସେନା ଅଧିକାରୀ ବ୍ରିଗେଡିୟର ଲଖୱିନ୍ଦର ସିଂହ ଲିଡର ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପାଖରେ ବର୍ଷକରୁ ଅଧିକ ସମୟ ହେଲା ଡିଫେନ୍ସ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କୁ ମେଜର ଜେନେରାଲ ଭାବେ ପଦୋନ୍ନତି ଦିଆଯିବାକୁ ସ୍ଥିର ହୋଇସାରିଥିଲା ବୋଲି ତାଙ୍କର ଜଣେ ସହକର୍ମୀ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ରାୱତଙ୍କ ସମେତ ତାଙ୍କର ନିହତ ହେବାର ଦିନକ ପରେ କହିଛନ୍ତି।
ବ୍ରିଗେଡିୟର ଲିଡରଙ୍କ ଘର ହରିୟାଣାର ପଞ୍ଚକୁଲାରେ। ପଦୋନ୍ନତି ପାଇଁ ସବୁ ପ୍ରକ୍ରିୟା ସରିଥିଲା।

ଆଉ ଅଳ୍ପଦିନ ପରେ ସେ ରାୱତଙ୍କଠାରୁ ବିଦାୟ ନେଇ ତାଙ୍କର ନୂଆ ଦାୟିତ୍ବ ଗ୍ରହଣ କରିଥାନ୍ତେ। ଆଗରୁ ସେ ଜମ୍ମୁ-କଶ୍ମୀର ରାଇଫଲ୍ସରେ ସେକେଣ୍ଡ ବାଟାଲିୟନର କମାଣ୍ଡର ଦାୟିତ୍ବ ତୁଲାଇଥିଲେ। ସେ ଜଣେ କାଉଣ୍ଟର-ଟେରରିଜିମ୍ ସ୍ପେସାଲିଷ୍ଟ ଭାବେ ଜଣାଶୁଣା ଥିଲେ। ସେ ସେନା ପଦକ ଓ ବିଶିଷ୍ଟ ସେବା ପଦକ ମଧ୍ୟ ପାଇଥିଲେ। ତାଙ୍କ ବିୟୋଗରେ ଦେଶ ଜଣେ ବଡ଼ ସାହସୀ ଯୋଦ୍ଧାଙ୍କୁ ହରାଇଲା ବୋଲି ବିଜେପି ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ଼ କହିଛନ୍ତି।