ଦିଲ୍ଲୀରେ ଗେହଲଟ ଓ ବାଘେଲଙ୍କ ହେଲିକପ୍ଟରକୁ ଅବତରଣ ଅନୁମତି ନମିଳିବା ଦାବି ମିଛ: ଗୃହ ମନ୍ତ୍ରାଳୟ

ରାୟପୁର: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶରୁ ଆସୁଥିବା ସବୁ ଅତିଥିଙ୍କ ପାଇଁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନର ଆୟୋଜନ କରିଛନ୍ତି। ଏଥିପାଇଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନେ ରାତ୍ରିଭୋଜନରେ ‌ସାମିଲ ହେବେନି ବୋଲି କହିଥିଲେ।

ଦିଲ୍ଲୀରେ ଅବତରଣ ପାଇଁ ଅନୁମତି ଦିଆଯାଇ ନଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଅଶୋକ ଗେହଲୋଟ ଦାବି କରିଥିଲେ। ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଉଭୟ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ ସ୍ପଷ୍ଟୀକରଣ ଦେଇ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସତ ନୁହେଁ ବୋଲି ଗୃହ ମନ୍ତ୍ରାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି ଗୃହମନ୍ତ୍ରାଳୟ।

ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, “ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଅଶୋକ ଗେହଲୋଟ ଦାବି କରିଛନ୍ତି ଯେ, ତାଙ୍କ ହେଲିକପ୍ଟରକୁ ଅବତରଣ ପାଇଁ ଅନୁମତି ଦିଆଯାଇନାହିଁ। ହେଲେ ଏହା ମିଛ। ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହେଲିକପ୍ଟର ଅବତରଣ ପାଇଁ ୪ଟି ଅନୁରୋଧ ମିଳିଥିଲା। ଆମେ ସମସ୍ତ ଅନୁରୋଧକୁ ଗ୍ରହଣ କରି ଅବତରଣ କରିବାକୁ ଅନୁମତି ଦେଇଛୁ। କୌଣସି ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ବିମାନରେ ଆସିଲେ ସେମାନଙ୍କୁ ଅନୁମତି ନେବାକୁ ପଡ଼ିବ ନାହିଁ। ହେଲେ ବ୍ୟକ୍ତିଗତ ବିମାନ ବା ହେଲିକପ୍ଟରରେ ଆସିଲେ ଅନୁମତି ନେବାକୁ ପଡ଼ିବ। ଏପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀଙ୍କ ଅବତରଣ ଅନୁରୋଧକୁ ଆମେ ଖାରଜ କରିନାହୁଁ।”

ସମ୍ବନ୍ଧିତ ଖବର