ପଞ୍ଜାବରେ ହେଲିକପ୍ଟର ରାଜନୀତି

ରାହୁଲଙ୍କ ପାଇଁ ୨୦୧୪ରେ ମୋ ହେଲିକପ୍ଟରକୁ ଅଟକାଯାଇଥିଲା: ମୋଦୀ

ଜଳନ୍ଧର : ପଞ୍ଜାବରେ ସୋମବାର ଦିନ ହେଲିକପ୍ଟର ଉଡ଼ାଣକୁ ଅନୁମତି ନମିଳିବା ରାଜନୀତି ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ହେଲିକପ୍ଟର ଉଡ଼ାଣକୁ ସୋମବାର ଦିନ ଅନୁମତି ଦିଆଯାଇ ନଥିଲା। ଏହାକୁ ନେଇ ଚନ୍ନି ପ୍ରଶ୍ନ ଉଠାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ୨୦୧୪ରେ କଂଗ୍ରେସର ଯୁବରାଜଙ୍କ ପାଇଁ ତାଙ୍କ ହେଲିକପ୍ଟର ଉଡ଼ାଣକୁ କିଛି ସମୟ ବିଳମ୍ବ କରାଯାଇଥିଲା। ‌ମୋଦୀ କହିଛନ୍ତି ‌ମୁଁ ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି। କିନ୍ତୁ ମୋ ନାଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ହୋଇସାରିଥିଲା। ମୁଁ ପଞ୍ଜାବର ପଠାନକୋଟ ଏବଂ ହିମାଚଳ ପ୍ରଦେଶକୁ ପ୍ରଚାର କାର୍ଯ୍ୟରେ ଆସିଥିଲି। କିନ୍ତୁ କଂଗ୍ରେସ ଦଳର ଯୁବରାଜ ଅମୃତସରରେ ଥିବାରୁ ମୋ ହେଲିକପ୍ଟର ଉଡ଼ାଣକୁ ଅନୁମତି ଦିଆଯାଇ ନଥିଲା। କଂଗ୍ରେସର ଯୁବରାଜ ସେତେବେଳେ କେବଳ ଜଣେ ସାଂସଦ ଥିଲେ। ରାହୁଲଙ୍କ ନାମ ନନେଇ ମୋଦୀ ଯୁବରାଜ ବୋଲି କହିଥିଲେ। ବିରୋଧୀଙ୍କୁ କାର୍ଯ୍ୟ କରିବାକୁ ନଦେବା ଅଭ୍ୟାସ କଂଗ୍ରେସର ରହିଛି ବୋଲି ମୋଦୀ ଜଳନ୍ଧରଠାରେ ଏକ ରାଲିରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ସୋମବାର ଦିନ ଉପରୋକ୍ତ ଟିପ୍ପଣୀ ଦେବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଞ୍ଚରେ ଉପସ୍ଥିତ ଥିଲେ। ଗତମାସରେ ମୋଦୀଙ୍କ ରାଲି ପରିପ୍ରେକ୍ଷୀରେ ସୁରକ୍ଷାରେ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ଏକ ଫ୍ଲାଏଓଭର ଉପରେ ପ୍ରାୟ ୨୦ ମିନିଟ ଅଟକି ରହିବା ସହିତ ଦିଲ୍ଲୀ ଫେରି ଆସିଥିଲେ। ଏହି ପ୍ରସଙ୍ଗକୁ ନେଇ ସେତେବେଳେ ଦେଶରେ ରାଜନୀତି ଜୋର୍ ଧରିଥିଲା। ଲୋକଙ୍କ ମନରୁ ସେହି ପ୍ରସଙ୍ଗ ଲିଭି ନଥିବାବେଳେ ସୋମବାର ଦିନ ହେଲିକପ୍ଟର ଉଡ଼ାଣ ଅନୁମତି ନମିଳିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୁରକ୍ଷା କାରଣରୁ ତାଙ୍କୁ ଦେବୀ ତାଲାବ ମନ୍ଦିରକୁ ମଧ୍ୟ ଯିବାକୁ ଅନୁମତି ଦିଆଯାଇ ନଥିଲା ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ପଂଜାବର ଜଳନ୍ଧରରେ ନିର୍ବାଚନ ରୢାଲିରେ ଯୋଗ ଦେଇ କହିଛନ୍ତି, ଯଦି ସୁଯୋଗ ମିଳେ ତେବେ ଏନ୍‌ଡିଏ ଆସନ୍ତା ୫ ବର୍ଷ ମଧ୍ୟରେ ଏକ ‘ନବ ପଂଜାବ’ଆଣିଦେବ। ମୋଦୀ କହିଛନ୍ତି , ନବ ପଂଜାବ ନିର୍ମାଣ ପାଇଁ ମୁଁ ମୋର ପରବର୍ତ୍ତୀ ୫ ବର୍ଷ ସମର୍ପଣ କରିଦେବି। ଏହି ନବ ପଂଜାବ ଋଣ, ଦୁର୍ନୀତି ଏବଂ ନିଶାଦ୍ରବ୍ୟ ମୁକ୍ତ ହେବ। ମୋଦୀ କହିଛନ୍ତି, ରାଜ୍ୟରେ ସୁରକ୍ଷା ସ୍ଥିତି ସେତେ ଉନ୍ନତ ହୋଇନାହିଁ । ସେ ଶକ୍ତିପୀଠ ଯିବାକୁ ଚାହୁଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ସୁରକ୍ଷା ମିଳିଲାନି। କଂଗ୍ରେସ ଉପରେ ବର୍ଷିବା ସହିତ ମୋଦୀ କହିଛନ୍ତି, ବର୍ତ୍ତମାନର ସରକାର ଦିଲ୍ଲୀର ଏକ ପରିବାର ଦ୍ବାରା ରିମୋଟ୍‌ କଣ୍ଟ୍ରୋଲ୍‌ରେ ଚାଲିଛି। ସମସ୍ତ କଂଗ୍ରେସ ଶାସିତ ରାଜ୍ୟରେ ସରକାର ଗାନ୍ଧି ପରିବାର ଅଧୀନରେ ଚାଲିଛି ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି, କଂଗ୍ରେସ ହାଇକମାଣ୍ଡ୍‌ ପଂଜାବ ସରକାର ପରିଚାଳନାରେ ଏତେଦୂର ହସ୍ତକ୍ଷେପ କଲେ ଯେ, ଅମରିନ୍ଦର ସିଂହ ଦଳ ଛାଡ଼ିବାକୁ ବାଧ୍ୟ ହେଲେ। କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ଗୋଟିଏ ପରିବାର ଦ୍ବାରା ରିମୋଟ୍‌ କଣ୍ଟ୍ରୋଲ୍‌ରେ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର