ଖୁବଶୀଘ୍ର ଆରମ୍ଭ ହେବ ରୁଷିଆ-ୟୁକ୍ରେନ ଆଲୋଚନା, ସାରା ବିଶ୍ବର ନଜର

ମସ୍କୋ : ଯୁଦ୍ଧ ବିରତି ପାଇଁ ଖୁବଶୀଘ୍ର ୟୁକ୍ରେନ ଓ ରୁଷିଆ ମଧ୍ୟରେ ଆଲୋଚନା ଆରମ୍ଭ ହୋଇପାରେ । ୟୁକ୍ରେନ-ବେଲାରୁଷ୍ ସୀମା ନିକଟରେ ଥିବା ପ୍ରିପାଟ୍ ନଦୀ ନିକଟରେ ଏହି ଆଲୋଚନା ହେବାକୁ ସ୍ଥିର ହୋଇଥିବାବେଳେ ସେଠାରେ ଉଭୟ ଦେଶର ପ୍ରତିନିଧିମଣ୍ଡଳ ପହଞ୍ଚିଛନ୍ତି । ୟୁକ୍ରେନର ପ୍ରତିନିଧିମାନଙ୍କୁ ନେଇ ଏକ ହେଲିକପ୍ଟର କିଛି ସମୟ ପୂର୍ବରୁ ସେଠାରେ ପହଞ୍ଚିଛି ।

ଏହି ଆଲୋଚନା ଉପରେ ସମଗ୍ର ବିଶ୍ବର ନଜର  ରହିଛି । କାରଣ ଏହି ଆଲୋଚନାରୁ ଯୁଦ୍ଧ ଆଗକୁ ବଢିବ କିମ୍ବା ଯୁଦ୍ଧବିରତି ହେବ ତାହା ନିର୍ଦ୍ଧାରଣ ହୋଇପାରେ । ଆସନ୍ତା ୨୪ ଘଣ୍ଟା ୟୁକ୍ରେନ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି ।

ଏହା ପୂର୍ବରୁ ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ କହିଥିଲେ ଯେ ଆଲୋଚନା ପାଇଁ ଆସୁଥିବା ୟୁକ୍ରେନ ପ୍ରତିନିଧିମଣ୍ଡଳର ନିରାପତ୍ତା ଗ୍ୟାରେଣ୍ଟ ସେ ଦେଉଛନ୍ତି । ୟୁକ୍ରେନ ପ୍ରତିନିଧିମଣ୍ଡଳ ସେଠାରେ ଥିବା ପର୍ଯ୍ୟନ୍ତ ବେଲାରୁଷରେ ଥିବା ରୁଷୀୟ କ୍ଷେପଣାସ୍ତ୍ର ଲଞ୍ଚପ୍ୟାଡଗୁଡ଼ିକ ବନ୍ଦ ରହିବ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୫ମ ଦିନରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ୩୫୨ ଜଣ ସାଧାରଣ ଲୋକ ମୃତ୍ୟୁବରଣ କରିଥିବାବେଳେ ଉଭୟ ପକ୍ଷର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରିସାରିଲେଣି । ଏହି ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଓ ପାଶ୍ଚାତ୍ୟଦେଶମାନେ ରୁଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି ।

 

ସମ୍ବନ୍ଧିତ ଖବର