୪ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ : ଏଣିକି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । ଏ ନେଇ କେନ୍ଦ୍ର ସରକାର ମୋଟର ଯାନ ଆଇନରେ କେତେକ ସଂଶୋଧନ କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାରଦିନ ଏହି ନୂଆ ନିୟମ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନୂଆ ନିୟମରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯେଉଁ ମୋଟର ସାଇକେଲ ବା ସ୍କୁଟରରେ ୪ ବର୍ଷରୁ କମ ବୟସର ପିଲା ବସିଥିବେ  ତାହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ହେବ ନାହିଁ । ସେହିପରି ପିଲାମାନଙ୍କ ଅତିରିକ୍ତ ନିରାପତ୍ତା ପାଇଁ ସେମାନଙ୍କୁ ଚାଳକ ସହ ଲାଗି କରି ବସିବାକୁ ଆବଶ୍ୟକ ସୁରକ୍ଷା ଉପକରଣ ବ୍ୟବହାର କରାଯିବ ।

ତେବେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ସଂଶୋଧିତ ନିୟମ ତୁରନ୍ତ ଲାଗୁ ହେବ ନାହିଁ । ଏହା ଏକ ବର୍ଷ ପରେ ଲାଗୁ ହେବ । ବାଧ୍ୟତାମୂଳକ କରିବା ପୂର୍ବରୁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ଅନୁମାନ କରାଯାଉଛି ।

ଏହି ନୂଆ ନିୟମ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ମୋଟର ଭେହିକ୍ଲ ଆଇନ ୧୯୮୯ର ନିୟମ ୧୩୮ରେ ସଂଶୋଧନ କରି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ନିରାପତ୍ତା ନିୟମାବଳୀ ଧାର୍ଯ୍ୟ କରାଯାଇଛି ।

ସମ୍ବନ୍ଧିତ ଖବର