ଜଣେ ପାକିସ୍ତାନୀ ତରୁଣୀଙ୍କର ଏକ ମିମ୍ସ ଘୂରିବୁଲୁଛି। ତହିଁରେ ସେ ‘କଂଗ୍ରେସ ଦ୍ବାରା ଗଠିତ ପାକିସ୍ତାନରେ ଏବେ ଭିକମଗା ପରିସ୍ଥିତି’ ପରି ଏକ ଅର୍ଥପୂର୍ଣ୍ଣ ମନ୍ତବ୍ୟ ଦେଉଥିବା ଦେଖାଯାଉଛି। ତା’ଉପରେ ଆସୁଛି ଅନେକ ମତମନ୍ତବ୍ୟ। ଆମେ ପାକିସ୍ତାନକୁ ପଡ଼ୋଶୀ କହୁ ବା ଶତ୍ରୁରାଷ୍ଟ୍ର, ପାକିସ୍ତାନର ଅବସ୍ଥା ଯେ ଡାମାଡୋଲ୍ -ଏ କଥା ସତ। ପିଆଜ କିଲୋ ୩୨୦, ଟମାଟୋ କିଲୋ ୫୦୦ ମଧ୍ୟ ଛୁଇଁଥିଲା। ଦେଶ ଦେବାଳିଆ ହୋଇସାରିଛି ବୋଲି ସ୍ବୀକାର କରୁଥିବା ନେତାଙ୍କ ସଂଖ୍ୟା ସେ ଦେଶରେ ବଢ଼ିଲାଣି। ଚାପା ଗୁଂଜରଣ ହେଉଛି, ଏଭଳି ଦୁଃସ୍ଥିତି ଅନ୍ୟ କୋଉ ପଡ଼ୋଶୀ ଦେଶରେ ହୋଇଥିଲେ ଭାରତ କେତେ ସାହାଯ୍ୟ କରିପକାନ୍ତାଣି!
ଶ୍ରୀଲଙ୍କାର ଉଦାହରଣ ଦିଆଯାଉଛି। ସାପକୁ ଆଦୈା ଦୁଧ ପିଆଅ ନାହିଁ ବୋଲି ସତର୍କବାଣୀମାନ ଘୂରିବୁଲୁଛି। କାଳେ କିଏ ଦେଶଦ୍ରୋହୀ ଆଖ୍ୟା ଦେଇଦେବ, ସେଇ ନ୍ୟାୟରେ କିଛିଲୋକ ଏହି ସ୍ପର୍ଶକାତର ପ୍ରସଙ୍ଗରେ ଡରିଡରି ମନ୍ତବ୍ୟ ଦେଉଥିବା ଦେଖାଯାଉଛି। ଜଣେ ପାକିସ୍ତାନୀ ନିଟିଜେନ୍ ଗାନ୍ଧୀଜୀଙ୍କ ହତ୍ୟା ଖବର ‘ଡନ୍’ ପତ୍ରିକା କିଭଳି ସୁନ୍ଦର ଢଙ୍ଗରେ ପ୍ରମୁଖତାର ସହ ପ୍ରକାଶିତ କରିଥିଲା, ତାକୁ ଦର୍ଶାଇ ଭାରତର ସହାନୁଭୂତି ହାସଲ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି।