ସ୍ୱାସ୍ଥ୍ୟସେବାରେ ଭାରତର ସ୍ଥାନ ୧୪୫: ବାଂଲାଦେଶ ଓ ଭୁଟାନଠାରୁ ବି ପଛରେ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବାରେ ଭାରତ ଏବେ ବି ଅନେକ ପଛରେ ରହିଛି। ସ୍ୱାସ୍ଥ୍ୟ ସୁବିଧା ଓ ଗୁଣବତ୍ତାରେ ଭାରତ ୧୯୫ଟି ଦେଶ ମଧ୍ୟରୁ ୧୪୫ତମ ସ୍ଥାନରେ ରହିଛି। ଏହି ତାଲିକାରେ ଭାରତ ପଡୋଶୀ ଦେଶ ଚୀନ, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନଠାରୁ ମଧ୍ୟ ପଛରେ ରହିଛି। ‘ଗ୍ଲୋବାଲ ବର୍ଡନ ଅଫ ଡିଜିଜ୍‌’ ନାମକ ଏକ ସଂସ୍ଥାର ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ୧୯୯୦ ମସିହା ପରଠାରୁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଦୃତ ବିକାଶ ହେଉଛି। ୧୯୯୦ରେ ଭାରତ ସ୍ୱାସ୍ଥ୍ୟସେବାରେ ୨୪.୭ ସ୍କୋର୍‌ କରିଥିବା ବେଳେ ୨୦୧୬ ବେଳକୁ ୪୧.୨ରେ ପହଞ୍ଚିଛି। ଏଚଏକ୍ୟୁ ସୂଚକାଙ୍କରେ ମଧ୍ୟ ଭାରତର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା କୁହାଯାଇଥିବା ବେଳେ ଦେଶର ସର୍ବାଧିକ ଓ ସର୍ବନିମ୍ନ ସ୍କୋର୍‌ ମଧ୍ୟରେ ଥିବା ପାର୍ଥକ୍ୟ ମଧ୍ୟ ବୃଦ୍ଧି ପାଇଛି। ୨୦୧୬ ମସିହାରେ ଗୋଆ ଓ କେରଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କଠାରୁ ଆଗରେ ଥିବା ବେଳେ ଆସାମ ଓ ୟୁପି ସବା ତଳେ ରହିଥିଲା। ସ୍ୱାସ୍ଥ୍ୟ ସୁବିଧା ଓ ଗୁଣବତ୍ତାରେ ଆଇସଲ୍ୟାଣ୍ଡ ୯୭.୧ ପଏଣ୍ଟ ସହ ସବୁଠୁ ଆଗରେ ରହିଥିବା ବେଳେ ନରେଓ୍ଵ, ନେଦରଲ୍ୟାଣ୍ଡ, ଲକ୍‌ଜେମବର୍ଗ, ଫିନଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମସ୍ଥାନରେ ରହିଛନ୍ତି। ସେହିଭଳି ସ୍ୱାସ୍ଥ୍ୟସେବାରେ ଅତି ନିମ୍ନ ମାନର ୫ଟି ରାଷ୍ଟ୍ର ମଧ୍ୟରେ ଆଫ୍ରିକୀୟ ରାଷ୍ଟ୍ରସମୂହ, ସୋମାଲିଆ, ଗାଏନା ବିସାଉ, ଚାଡ ଓ ଆଫଗାନିସ୍ତାନ ରହିଛି। ଏହି ତାଲିକାରେ ଚୀନ ୪୮, ଶ୍ରୀଲଙ୍କା ୭୧, ବାଂଲାଦେଶ ୧୧୩, ଭୁଟାନ ୧୩୪, ନେପାଳ ୧୪୯, ପାକିସ୍ତାନ ୧୫୪ ଓ ଆଫଗାନିସ୍ତାନ ୧୯୧ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର