ରାଞ୍ଚି: ଜେଏମଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ସୁପ୍ରିମୋ ହେମନ୍ତ ସୋରେନ ଆଜି ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ହେଉଛନ୍ତି ଖଣିଜ ସଂପଦଭରା ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ। ରାଞ୍ଚିର ମୋରାଦାବାଦ ଗ୍ରାଉଣ୍ଡରେ ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ୪୯ ବର୍ଷୀୟ ସୋରେନଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଇଣ୍ଡି ମେଣ୍ଟର ଶୀର୍ଷ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ, ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ ) ନେତା ତେଜସ୍ବୀ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।
୨୦୦୯ରେ ବିଧାୟକ ହେବା ପୂର୍ବରୁ ହେମନ୍ତ ସୋରେନ ରାଜ୍ୟସଭାରେ ଏକ ଛୋଟ କାର୍ଯ୍ୟକାଳ ସହ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୩ରେ ଜେଏମ୍ଏମ୍ କଂଗ୍ରେସ ଏବଂ ଆରଜେଡି ସହ ମେଣ୍ଟ କରିବା ସହ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ ବିଜେପି କ୍ଷମତାକୁ ଆସିବାପରେ ହେମନ୍ତ ସୋରେନ ବିଧାନସଭାରେ ବିରୋଧୀ ଦଳ ନେତା ଦାୟିତ୍ବ ତୁଲାଇଥିଲେ। ଏହାପରେ ୨୦୧୯ରେ ଜେଏମଏମ-କଂଗ୍ରେସ ମେଣ୍ଟ ଜିତିବାପରେ ସୋରେନଙ୍କ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ସୋରେନଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଥିଲା। ତେବେ ଗିରଫ ହେବା ପୂର୍ବରୁ ସୋରେନ ଇସ୍ତଫା ଦେଇଥିଲେ। ୬ ମାସ ଜେଲ୍ରେ ରହିବାପରେ ତାଙ୍କୁ ଜାମିନ ମିଳିଲା ଏବଂ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।