ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସୂଚନା ଅନୁଯାୟୀ, ୩୦ ଘଣ୍ଟାରୁ ଅଧିକ ସମୟ ଧରି ନିଖୋଜ ଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମଙ୍ଗଳବାର ରାଞ୍ଚିସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ଜମି ଠକେଇ ମାମଲାରେ ସୋମବାର ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଇଡି ଚଢ଼ାଉ କରିବା ପରେ ମୁଖ୍ୟମନ୍ତ୍ରୀ ସୋରେନ୍‌ ନିଖୋଜ ହୋଇ ଯାଇଥିଲେ।

Advertisment

ଜାନୁଆରି ୩୧ ତାରିଖରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଇଡି ଗିରଫ କରିପାରେ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ସୋରେନ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ବିଧାୟକମାନଙ୍କୁ ଆଜି ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ତାଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ଜେଏମଏମ ନେତୃତ୍ୱାଧୀନ ମେଣ୍ଟର ସମସ୍ତ ବିଧାୟକଙ୍କୁ ରାଞ୍ଚିରେ ରହି ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବା ପାଇଁ ମଙ୍ଗଳବାର ବୈଠକରେ ଯୋଗ ଦେବାକୁ କୁହାଯାଇଥିଲା। ଝାଡ଼ଖଣ୍ଡରେ ଶାସକ ମେଣ୍ଟରେ ଜେଏମଏମ, କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାମିଲ ଅଛନ୍ତି। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ଜମି ଦୁର୍ନୀତିରେ ବୁଧବାର ସୋରେନଙ୍କୁ ଇଡିର ପ୍ରସ୍ତାବିତ ପଚରାଉଚରା ଉପରେ ଆଲୋଚନା କରିବା ପାଇଁ ଏହି ବୈଠକ ଡକାଯାଇଛି ବୋଲି ଜେଏମ୍‌ଏମ୍‌ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ବିନୋଦ କୁମାର ସିଂହ କହିଛନ୍ତି।

ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରି ୨୭ ତାରିଖ ରାତିରେ ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ସୋରେନ୍‌ ଏଜେନ୍‌ସିକୁ ଏକ ଇ-ମେଲ୍‌ ପଠାଇଥିଲେ, ଯେଉଁଥିରେ ସେ ଜାନୁଆରି ୩୧ ତାରିଖ ଅପରାହ୍ନ ପ୍ରାୟ ୧ଟା ବେଳେ ରାଞ୍ଚିସ୍ଥିତ ବାସଭବନରେ ଇଡି ତଦନ୍ତକାରୀଙ୍କ ଦ୍ୱାରା ପୁନର୍ବାର ପଚରାଉଚରାର ସମ୍ମୁଖୀନ ହେବାକୁ ରାଜି ହୋଇଥିଲେ।

ସେପଟେ ସୋରେନଙ୍କ ସରକାରୀ ବାସଭବନ, ରାଜଭବନ ଓ ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟର ୧୦୦ ମିଟର ପରିଧି ମଧ୍ୟରେ ଧାରା ୧୪୪ ଲାଗୁ କରାଯାଇଛି।

ଜମି ଦୁର୍ନୀତିର ତଦନ୍ତ ମାମଲାରେ ଇଡିର ଏକ ଟିମ୍‌ ସୋରେନଙ୍କୁ ପଚରାଉଚରା କରିବାକୁ ଯାଇଥିବା ବେଳେ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେଏମ୍‌ଏମ୍‌ ବିଧାୟକମାନେ ଦିଲ୍ଲୀସ୍ଥିତ ସୋରେନଙ୍କ ସରକାରୀ ବାସଭବନରେ ରହିଥିଲେ।

ଏହି ମାମଲାରେ ଇଡି ଜାନୁଆରି ୨୦ରେ ସୋରେନଙ୍କୁ ରାଞ୍ଚିସ୍ଥିତ ତାଙ୍କ ସରକାରୀ ବାସଭବନରେ ପଚରାଉଚରା କରିଥିଲା ଏବଂ ଜାନୁଆରି ୨୯ କିମ୍ବା ଜାନୁଆରି ୩୧ରେ ପଚରାଉଚରା ପାଇଁ ତାଙ୍କ ଉପଲବ୍ଧତା ନିଶ୍ଚିତ କରିବାକୁ ତାଙ୍କୁ ସମନ ଜାରି କରିଥିଲା। ବର୍ତ୍ତମାନ ସୁଦ୍ଧା ସୋରେନ ୯ଥର ଇଡି ସମନକୁ ପ୍ରତ୍ୟାଖାନ କରି ଦେଇଛନ୍ତି। ସୋରେନଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ଅସାମ୍ବିଧାନିକ ବୋଲି ଜେଏମ୍‌ଏମ୍‌ କହିଛି।

ମୁଖ୍ୟମନ୍ତ୍ରୀ ସୋରେନ୍‌ କୌଣସି ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଇଥିଲେ ଏବଂ ସେ ଫେର ଆସିିବେ। କିନ୍ତୁ ଇଡିର ଏହି କାର୍ଯ୍ୟାନୁଷ୍ଠାନ ଅଯଥା ଓ ଅସାମ୍ବିଧାନିକ। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜେଏମ୍‌ଏମ୍‌ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲା ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସୋରେନ କହିଛନ୍ତି।