ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ଗୁରୁବାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ସୋରେନଙ୍କ ଆବେଦନର ଶୁଣାଣି ଶୁକ୍ରବାର କରିବେ। ସୋରେନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ହାଇକୋର୍ଟରୁ ସେମାନେ ମାମଲା ପ୍ରତ୍ୟାହାର କରିଛନ୍ତି ବୋଲି ସିବଲ ଅଦାଲତଙ୍କୁ କହିଛନ୍ତି।

Advertisment

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଛି, ସମସ୍ତେ ସୁପ୍ରିମ୍‌କୋର୍ଟକୁ ଆସିପାରିବେ ନାହିଁ। ସଲିସିଟର ଜେନେରାଲଙ୍କୁ ଜବାବ ଦେଇ ସିବଲ କହିଛନ୍ତି, ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଗିରଫ କରାଯିବାକୁ ପ୍ରକ୍ରିୟା ଚାଲିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ଜମି ଦୁର୍ନୀତି ମାମଲାରେ ୭ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ସୋରେନଙ୍କୁ ଗତରାତିରେ ଗିରଫ କରିଛି। ଗିରଫ ହେବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି କହିଥିଲେ, ମୁଁ ମୁଣ୍ଡ ନୁଆଁଇବି ନାହିଁ। ଶେଷରେ ସତ୍ୟର ବିଜୟ ହେବ। ଗରିବ, ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଥିବା ସାମନ୍ତବାଦୀ ବ୍ୟବସ୍ଥା ବିରୋଧରେ ଯୁଦ୍ଧ କରିବାର ସମୟ ଆସିଛି ବୋଲି ସେ କହିଥିଲେ।ସୂଚନାଯୋଗ୍ୟ, ସୋରେନଙ୍କୁ ଆଜି ରାଞ୍ଚିର ଏକ ପିଏମ୍‌ଏଲ୍‌ଏ ଅଦାଲତରେ ଇଡି ହାଜର କରାଇଥିଲା ଏବଂ ୧୦ ଦିନ ରିମାଣ୍ଡ୍‌ରେ ନେବାକୁ ଆବେଦନ କରିଥି‌ଲା। ଅଦାଲତ ସୋରେନଙ୍କୁ ଦିନକ ପାଇଁ ବିଚାରବିଭାଗୀୟ ହାଜତ ପଠାଇଛନ୍ତି ଏବଂ ଆସନ୍ତାକାଲି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।