ରାଞ୍ଚି: ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋ‌ରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହେବା ପରେ ଗୁରୁବାର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଆଜି ଅଦାଲତ ତାଙ୍କ ମାମଲାର ଶୁଣାଣି କରିବେ। ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ। ଅନ୍ୟପକ୍ଷରେ ଚମ୍ପାଇ ସୋରେନ ଆଜି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଭା‌ବେ ଶପଥ ଗ୍ରହଣ କରିବେ।

Advertisment

ଗତକାଲି ବରିଷ୍ଠ ଓକିଲ କପିଲ ସିବଲଙ୍କ ଦ୍ୱାରା ସୋରେନ୍‌ଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ସିବଲ କୋର୍ଟଙ୍କୁ କହିଥିଲେ ଯେ ସେମାନେ ଝାରଖଣ୍ଡ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରୁଛନ୍ତି।

ତେବେ ସୋରେନ୍‌ଙ୍କର ଏହି ଆବେଦନକୁ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, “ଇଡି ଦ୍ୱାରା ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଛି, ସମସ୍ତେ ସୁପ୍ରିମକୋର୍ଟକୁ ଆସିପାରିବେ ନାହିଁ।’’

ଉଲ୍ଲେଖଯୋଗ୍ୟ, ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋ‌ରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ମହାଗଠବନ୍ଧନର ବିଧାୟକମାନଙ୍କୁ ଏକ ପତ୍ର ଲେଖିଥିଲେ। ସେଥିରେ ସେ ଚମ୍ପାଇ ସୋରେନଙ୍କୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ବିଧାନସଭା ଦଳର ନେତା ବୋଲି ଘୋଷଣା କରିଥିଲେ।

ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସୋରେନଙ୍କୁ ଗିରଫ କରାଯାଇଥିଲା। ଏଥିସହ ତାଙ୍କ ଦଳର ବିଶ୍ୱସ୍ତ ତଥା ରାଜ୍ୟ ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ନାମିତ କରିଥିଲେ।