ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାୟ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ମଧ୍ୟରେ ଚାଲିଥିବା ସାର୍ବଜନୀନ ବିବାଦରେ ତିନିବର୍ଷର ରଟୱାଇଲର (ଜର୍ମାନ ପ୍ରଜାତିର କୁକୁର) ହେନରି ଏକ କେନ୍ଦ୍ରୀୟ ଚରିତ୍ର ଭାବେ ଉଭା ହୋଇଛି। ପୋଷା କୁକୁର ହେନରି କାହା ପାଖରେ ରହିବ ସେ ନେଇ ବିବାଦ ଚାଲିଛି। ହେନରି ବର୍ତ୍ତମାନ ମୈତ୍ରଙ୍କ ସହ ରହୁଛି। ଶୁକ୍ରବାର ଦେହାଦ୍ରାୟ ତାଙ୍କ ସଦ୍ୟତମ ଦାବିରେ କହିଛନ୍ତି ଯେ, ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ହୀରାନନ୍ଦାନୀ ଗ୍ରୁପ୍ ସହ ସମ୍ପୃକ୍ତି ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ସେ କରିଥିବା ଅଭିଯୋଗ ଯଦି ପ୍ରତ୍ୟାହାର କରନ୍ତି ତେବେ ମହୁଆ ତାଙ୍କୁ ହେନରିକୁ ଫେରାଇ ଦେବେ ବୋଲି ପ୍ରସ୍ତାବ ଦେଇଛନ୍ତି। ଉଭୟ ଦେହାଦ୍ରାୟ ଓ ମୈତ୍ର ପରସ୍ପର ବିରୋଧରେ ହେନରିକୁ ଚୋରି କରିଥିବା ଅଭିଯୋଗ ଆଣି ଦିଲ୍ଲୀ ପୁଲିସରେ ଅଭିଯୋଗ କରିଥିଲେ। ମୈତ୍ର ମଧ୍ୟ ଦେହାଦ୍ରାୟଙ୍କୁ ତାଙ୍କର ‘ଜିଲ୍ଟେଡ୍ ଏକ୍ସ’ (ପ୍ରତ୍ୟାଖ୍ୟାତ ପ୍ରେମିକ) ବୋଲି ବର୍ଣ୍ଣନା କରିଛନ୍ତି, ଯିଏ କେବଳ ତାଙ୍କ ପାଖକୁ ଫେରିବାକୁ ଚାହୁଛନ୍ତି।

Advertisment

ହେନରିର ଜୀବନ କାହାଣୀ: ଦେହାଦ୍ରାୟ ଦାବି କରିଛନ୍ତି ଯେ, ସେ ଜାନୁଆରି ୨୦୨୧ରେ ଜନକପୁରୀର ଏବି ବହୁଗୁଣାଙ୍କଠାରୁ ହେନରିକୁ ୭୫,୦୦୦ ଟଙ୍କାରେ କିଣିଥିଲେ, ଯାହା ସେ ୧୦,୦୦୦ ଏବଂ ୬୫,୦୦୦ ଟଙ୍କାର ଦୁଇଟି କିସ୍ତିରେ ପଇଠ କରିଥିଲେ। ସେ ଏପରି ଦେୟ ପଇଠର ପ୍ରମାଣ ମଧ୍ୟ ଦେଇଛନ୍ତି। ଏପରିକି ସେ ୨୪ ଅଗଷ୍ଟ ୨୦୨୧ରେ କେନେଲ କ୍ଲବ୍ ଅଫ୍ ଇଣ୍ଡିଆର ‘ଲିଟର ରେଜିଷ୍ଟ୍ରେସନ୍’ ସାର୍ଟିଫିକେଟ୍ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ହେନରିର ପଞ୍ଜୀକରଣ ନମ୍ବରରେ ଏକ ବାର୍ କୋଡ୍ ଏବଂ ମାଇକ୍ରୋଚିପ୍ ବିବରଣୀ ରହିଛି। ‘ମୋ କୁକୁର ହେନରି ମୋର ପୁଅ ଭଳି। ୪୦ ଦିନ ବୟସରୁ ମୁଁ ତା’ର ଯତ୍ନ ନେଉଛି ଏବଂ ମୁଁ ତା’ର ପ୍ରତ୍ୟେକ ଆବଶ୍ୟକତା ଏବଂ ଭାବନାକୁ ବୁଝିପାରୁଛି’ ବୋଲି ଦେହାଦ୍ରାୟ ଅକ୍ଟୋବର ୧୯ରେ ପୁଲିସରେ ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି।

କିନ୍ତୁ ମୈତ୍ର ଦାବି କରିଛନ୍ତି ଯେ ହେନରି ହେଉଛି ତାଙ୍କର। ସେ ଦେହାଦ୍ରାୟଙ୍କ ବିରୋଧରେ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ପଶି ହେନରିକୁ ଚୋରି କରିଥିବା ଅଭିଯୋଗ ଆଣିଛନ୍ତି। ପରେ ଦେହାଦ୍ରାୟ କୁକୁରଟିକୁ ଫେରାଇ ଦେଇଥିଲେ ବୋଲି ମୈତ୍ର କହିଛନ୍ତି। ତେବେ ଏଭଳି ଆଉ ଦୁଇଟି ଘଟଣାରେ ମୈତ୍ର ୨୦୨୩ ମାର୍ଚ୍ଚ ୨୫ ଓ ସେପ୍ଟେମ୍ବର ୨୩ତାରିଖରେ ବଡ଼ଖମ୍ବା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ‘ପୂର୍ବର ଘନିଷ୍ଠ ବନ୍ଧୁତା’ କାରଣରୁ ସେ ଏହି ଅଭିଯୋଗ ପ୍ରତ୍ୟାହାର କରିନେଇଥିଲେ। ତେବେ ଦେହାଦ୍ରାୟଙ୍କ ଏକ ଭିନ୍ନ ଦାବି ରହିଛି। ସେ କହିଛନ୍ତି ଯେ ତାଙ୍କୁ ହଇରାଣ ଓ ବ୍ଲାକମେଲ କରିବା ଉଦ୍ଦେଶ୍ୟରେ ମୈତ୍ର ହେନରିକୁ ଅକ୍ଟୋବର ୧୦ ତାରିଖରୁ ଜାଣିଶୁଣି ତାଙ୍କଠାରୁ ଅପହରଣ କରି ଲୁଚାଇ ରଖିଛନ୍ତି। ମୋର କୁକୁରକୁ ଫେରାଇ ଆଣିବାରେ ମୋତେ ସାହାଯ୍ୟ କରନ୍ତୁ ବୋଲି ସେ ପୁଲିସକୁ ଏକ ଆବେଦନରେ ଲେଖିଥିଲେ। ହେନରି ଏବେ ଦେହାଦ୍ରାୟ ଓ ମୈତ୍ରଙ୍କ ମଧ୍ୟରେ ତୀବ୍ର ହାଜତ ଯୁଦ୍ଧର କେନ୍ଦ୍ରବିନ୍ଦୁରେ ରହିଛି। ସୋସିଆଲ ମିଡିଆରେ ମୈତ୍ରଙ୍କ ଟାଇମଲାଇନ୍ ହେନରିଙ୍କ ସହ ତାଙ୍କର ଫଟୋରେ ଭରି ରହିଛି, ଯେଉଁଥିରେ କୁକୁର ସହିତ ତାଙ୍କର ଗଭୀର ସମ୍ପର୍କ ମଧ୍ୟ ଦେଖିବାକୁ ମିଳୁଛି। ମୈତ୍ରଙ୍କ ବିରୋଧରେ ଲୋକସଭା ଏଥିକ୍ସ କମିଟିରେ ପ୍ରକ୍ରିୟା ଚାଲିଥିବା ବେଳେ ହେନରିକୁ ଏବେ କିଏ ରଖିବ ସେ ନେଇ ପ୍ରଶ୍ନ ଉଠିଛି।

କାର୍ଯ୍ୟାନୁଷ୍ଠାନ ପାଇଁ ଲୋକପାଳଙ୍କୁ ବିଜେପି ସାଂସଦଙ୍କ ଦାବି
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ପ୍ରଶ୍ନ ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇଛନ୍ତି ବୋଲି ଅଭିଯୋଗ କରିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକପାଳଙ୍କ ପାଖରେ ଦାବି କରିଛନ୍ତି। ଶନିବାର ଦୁବେ ଦୁର୍ନୀତି-ବିରୋଧୀ କର୍ତ୍ତୃପକ୍ଷ ଲୋକପାଳଙ୍କ ପାଖରେ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କେବଳ ଲୋକପାଳ ହିଁ ସାଂସଦ ଓ ମନ୍ତ୍ରୀମାନଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତି ଏବଂ ସିବିଆଇ ହେଉଛି ତାଙ୍କର ମାଧ୍ୟମ ବୋଲି ଦୁବେ ହିନ୍ଦୀରେ ଟ୍ବିଟ୍ କରିଛନ୍ତି।
ଏହା ପୂର୍ବରୁ ଦୁବେ ମହୁଆଙ୍କ ବିରୋଧରେ ଏକ ତଦନ୍ତ କମିଟି ବସାଇବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପାଖରେ ଦାବି କରିଥିଲେ। ତାଙ୍କୁ ତୁରନ୍ତ ଗୃହରୁ ନିଲମ୍ବନ ପାଇଁ ମଧ୍ୟ ଦାବି କରିଥିଲେ। ତେବେ ଦୁବେଙ୍କ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ମହୁଆ ମୈତ୍ର। ସେ ଦୁବେଙ୍କ ବିରୋଧରେ ଏକ ଲିଗାଲ ନୋଟିସ ପଠାଇଛନ୍ତି। ଇତିମଧ୍ୟରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାର୍ଲାମେଣ୍ଟ ଏଥିକ୍ସ କମିଟି ନିକଟରେ ପହଞ୍ଚିଛି ଏବଂ ଏଥିକ୍ସ କମିଟି ଏହା ଉପରେ ବିଚାର ପ୍ରକ୍ରିୟା ଆରମ୍ଭ କରିଛି।