କରୋନା ମହାମାରୀ ବିରୁଦ୍ଧରେ ଏପର୍ଯ୍ୟନ୍ତ ଗୋଠ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇନାହିଁ : ଡବ୍ଲୁଏଚଓ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ଏପର୍ଯ୍ୟନ୍ତ ଲୋକମାନଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ବା ଗୋଠ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ।
ଡବ୍ଲୁଏଚଓର ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ ଗୋଠ ପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ମୋଟ ଜନସଂଖ୍ୟାର ୫୦ରୁ ୬୦ ପ୍ରତିଶତ ଲୋକଙ୍କ ଶରୀରରେ ଏହି ଭାଇରସ ପାଇଁ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା ଦରକାର । ଏହା ଟିକାଦାନ ମାଧ୍ୟମରେ ହୋଇପାରିବ । କାରଣ ୫୦ରୁ ୬୦ ପ୍ରତିଶତ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଲେ ଭାଇରସ ଆଉ ବ୍ୟାପିବ ନାହିଁ । କିନ୍ତୁ ବିଶ୍ୱ ବର୍ତ୍ତମାନ ଏହି ସ୍ତରକୁ ଆସିନାହିଁ ।
ଏକ ସୋସିଆଲ ମିଡିଆ ଆଲୋଚନାବେଳେ ସେ କହିଛନ୍ତି ଯେ ଗୋଠ ପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ୫୦ରୁ ୬୦ ପ୍ରତିଶତ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା ଆବଶ୍ୟକ ପଡ଼ୁଥିବାବେଳେ ଏବେ ମାତ୍ର ୫ ରୁ ୧୦ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ପାଇଁ ଆଣ୍ଟିବଡି ସୃଷ୍ଟି ହୋଇଛି ।
ଆଉ କେତେକ ବିଶେଷଜ୍ଞ ଅନୁମାନ କରୁଛନ୍ତି ଯେ କରୋନା ବିରୁଦ୍ଧରେ ଗୋଠ ପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ୭୦ରୁ ୮୦ ପ୍ରତିଶତ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା ଜରୁରୀ । ଟିକା ଆସିଲେ ହିଁ ଏହାକୁ ହାସଲ କରିହେବ ।

ସମ୍ବନ୍ଧିତ ଖବର